ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ସିନେମା ପ୍ରେମୀଙ୍କ ପାଇଁ ଖୁସୀ ଖବର । ଫେବୃଆରୀ ୧ ରୁ ଦେଶରେ ସିନେମାହଲ ଗୁଡିକୁ ଶହେ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ରସରକାର । ଏନେଇ ସରକାରଙ୍କ ପକ୍ଷରୁ ନୂତନ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି ।
କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି କି, ଫେବୃଆରୀ ୧ ରୁ ଦେଶରେ ସିନେମା ହଲ ଗୁଡିକୁ ଶହେ ପ୍ରତିଶତ କ୍ଷମତା ସହିତ ଖୋଲିବାର ଅନୁମତି ଦିଆଯିବ । ଅବଶ୍ୟ ଏହି ସମୟରେ ସମସ୍ତେ କରୋନା ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ ।
ମହାମାରୀ କରୋନା ପାଇଁ ସିନେମା ହଲ୍ କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ପରେ ଏହାକୁ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାର ଅନୁମତି ଦିଆଯାଇଥିଲା । ଯାହାକୁ ଏବେ ବଢାଇ ଶହେ ପ୍ରତିଶତ କରାଇଛନ୍ତି ସରକାର ।
ନୂତନ ଗାଇଡଲାଇନ୍ ମୁତାବକ, ସମସ୍ତ ସିନେମା ହଲ ଗୁଡିକୁ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ହେବ । ଏଥିରେ ସାମାଜିକ ଦୂରତା, ଫେସମାସ୍କ, ସ୍ୱଚ୍ଛତା, ଆରୋଗ୍ୟସେତୁ ଆପ୍, ଥର୍ମାଲ ସ୍କ୍ରିନିଂ ସାମିଲ ଅଛି ।