କେରଳ (ଏଟିଆର ବ୍ୟୁରୋ): କୁହାଯାଏ ପାଠ ପଢିବାର କୌଣସି କାଳ ବେଳ କି ବୟସ ନଥାଏ । ପଢିବା ପାଇଁ ନିଜ ଭିତରେ ଦୃଢ ଇଚ୍ଛା ଶକ୍ତି ଦରକାର । ଇଚ୍ଛା ଥିଲେ ଉପାୟ ଆପେ ଆପେ ଅସିଯାଏ । ତେବେ ଏଇ କେଇପଦ ମହତ୍ୱପୂର୍ଣ୍ଣ କଥାକୁ ଏବେ ପ୍ରମାଣ କରି ଦେଖାଇଛନ୍ତି କେରଳରେ ରହୁଥିବା ଜଣେ ୧୦୫ ବର୍ଷ ବୟସର ଜଣେ ବୃଦ୍ଧା ମା । ନିଜର ଦୃଢ ଇଚ୍ଛା ଶକ୍ତି ବଳରେ ସେ ଏବେ ପରିଣତ ବୟସରେ ୪ ର୍ଥ ଶ୍ରେଣୀ ପରୀକ୍ଷାରେ ୭୫.୫ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଛନ୍ତି । ବୃଦ୍ଧା ଜଣଙ୍କ ନାମ ହେଉଛି ଭାଗୀରଥି ଅମ୍ମା । ସୂଚନା ଅନୁସାରେ ଛୋଟବେଳେ ଭାରି ପାଠ ପଢିଥିବାର ଇଚ୍ଛା ରହିଥିଲା ତାଙ୍କର । ମାତ୍ର ୩ୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ମାଙ୍କ ମୃତ୍ୟୁ ହୋଇଥିଲା ।
ଘରର ବଡ ଝିଅ ହୋଇଥିବାରୁ ମାଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ତାଙ୍କ ଉପରକୁ ଚାଲି ଆସିଲା । ଯାହାଫଳରେ ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତି ବାଧ୍ୟ କଲା ପାଠ ଡୋରି ବାନ୍ଧିବାକୁ । ପରେ ବିବାହ ହୋଇଗଲା । ଭାବିଥିଲେ ସେଠାରେ ସେ ଆଗକୁ ପାଠ ପଢିବେ । ମାତ୍ର ପରିବାରର ଜଞ୍ଜାଳ ଓ ନିଜର ୬ ଟି ପିଲାଙ୍କର ଦେଖା ଶୁଣା କରିବା ଭିତରେ ବୟସ ଅତିକ୍ରାନ୍ତ ହୋଇଗଲା । ଏବେ ବୃଦ୍ଧା ବୟସରେ ସେ ତାଙ୍କର ସେହି ଅପୁରା ଇଚ୍ଛାକୁ ପୂରଣ କରିଛନ୍ତି । ଗତବର୍ଷ ସେ ରାଜ୍ୟ ସାକ୍ଷରତା ଅଭିଯାନରେ ନିଜ ନାମ ପଞ୍ଜିକରଣ କରିଥିଲେ । ଗତ ଫେବୃଆରି ମାସରେ ସେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେବାକୁ ମନୋନୀତ ହୋଇଥିଲେ । ମୋଟ ୨୭୫ ନଂରୁ ସେ ୨୦୫ ନମ୍ଭର ରଖି ଚତୁର୍ଥ ଶ୍ରେଣୀ ପାସ କରିଛନ୍ତି ।