ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ସହିତ ଯୁଦ୍ଧ କରୁଥିବା ବେଳେ ଭାରତ ମଧ୍ୟ କରୋନା ସହିତ ଯୁଦ୍ଧ କରୁଛି । ଭାରତରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ୧୯ ଦିନ ପାଇଁ ଲକ ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ତେବେ ଏହି ଘୋଷଣା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେଉଁ ସବୁ ଜିଲ୍ଲା ଗୁଡିକ ହଟସ୍ପଟରେ ରହିଛି ତାକୁ ଛାଡି ଅନ୍ୟ ସବୁ ଜିଲ୍ଲା ବା ରାଜ୍ୟ ଗୁଡିକୁ ଆସନ୍ତା ଏପ୍ରିଲ ୨୦ ତାରିଖ ପରେ ସାମାନ୍ୟ କୋହଳ କରିବାକୁ ।
ତେବେ ଏନେଇ ସରକାରଙ୍କ ପକ୍ଷରୁ ଦେଶର ୧୭୦ ଜିଲ୍ଲାକୁ କରୋନା ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । କରୋନା ଚିହ୍ନଟ ପାଇଁ କେନ୍ଦ୍ର ସରକାର ଦେଶର ସମସ୍ତ ଜିଲ୍ଲାକୁ ୩ ଟି ବର୍ଗରେ ବିଭକ୍ତ କରିଛନ୍ତି । ସେଗୁଡିକ ହେଲା କ୍ଲଷ୍ଟର ଜିଲ୍ଲା, କ୍ଲଷ୍ଟର ହଟସ୍ପଟ ଜିଲ୍ଲା ଓ ଅଣ ହଟସ୍ପଟ ଜିଲ୍ଲା । ତେବେ ଏହି ପାରପ୍ରେକ୍ଷୀରେ ଯଦି ଆମେ ଓଡିଶା କଥା ଦେଖିବା ଓଡିଶାର ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସରକାରଙ୍କ ହଟସ୍ପଟ ଜିଲ୍ଲା ତାଲିକାରେ ରହିିଛି । ସେହିଭଳି ଭଦ୍ରକ ଜିଲ୍ଲାକୁ କ୍ଲଷ୍ଟର ହଟସ୍ପଟରେ ରହିଛି । ଏଥି ସମେତ କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ, ଢେଙ୍କାନାଳ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ ଜିଲ୍ଲାକୁ ଅଣହଟସ୍ପଟ ଜିଲ୍ଲାଭାବେ ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ ଦେଶରେ ୭୧୮ ଟି ଜିଲ୍ଲାରୁ ୪୦୦ ଜିଲ୍ଲା ସମୂର୍ଣ୍ଣ ଭାବେ କରୋନା ଭାଇରସରୁ ମୁକ୍ତ ରହିଛି ।