ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ଛଟପଟ ହେଉଛନ୍ତି ଦେଶବାସୀ । ଏହି କିଲର ଭାଇରସକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ବିରୋଧରେ ଲଢେଇ କରୁଛନ୍ତି । ସେଥିପାଇଁ ରାଜ୍ୟମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ସେହିଅନୁଯାୟୀ ଅଗ୍ରୀମ ଆକାରରେ ରାଜ୍ୟ ବିପର୍ଯ୍ୟ ପାଣ୍ଠିକୁ ୮ ହଜାର ୮୭୩ କୋଟି ୬୦ ଲକ୍ଷ ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ।
ଏସଡିଆରଏଫର ୫୦ ପ୍ରତିଶତ ଅର୍ଥ କୋଭିଡ କଣ୍ଟେନମେଣ୍ଟ ପଦକ୍ଷେପ ପାଇଁ ରାଜ୍ୟ ସରକାର ବ୍ୟବହାର କରି ପାରିବେ । ସିଧା କଥା କହିବାକୁ ଗଲେ କଣ୍ଟେନମେଣ୍ଟ ପାଇଁ ୪ ହଜାର ୪୩୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ରାଜ୍ୟ ସରକାରମାନେ ଏହି ଅର୍ଥକୁ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଡ ପ୍ରତିଷ୍ଠା, ଭେଣ୍ଟିଲେଟର, ଅକ୍ସିଜେନ ଉତ୍ପାଦନ, କୋଭିଡ ହସ୍ପିଟାଲ, ଆମ୍ବୁଲାନ୍ସ ବ୍ୟବସ୍ଥାକୁ ସୁଦୃଢ କରିବା, ଟେଷ୍ଟିଂ ଲାଇବ୍ରେରୀ, ଥର୍ମାଲ ସ୍କ୍ରିନିଂ, କଣ୍ଟେନମେଣ୍ଟ ଜୋନ୍ ଆଦି ଦିଗରେ ଖର୍ଚ୍ଚ କରିପାରିବେ ।