କୋଲକାତା (ଏଟିଆର ବ୍ୟୁରୋ ) ; ବିମାନକୁ ଧକ୍କା ଦେଲା ପାଣି ଟ୍ୟାଙ୍କର । ଫଳରେ ବାତିଲ ହେଲା ଉଡାଣ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା କୋଲକାତା ବିମାନ ବନ୍ଦରରେ ଘଟିଛି । ବିମାନରେ ୧୦୧ ଜଣ ଯାତ୍ରୀଙ୍କ ସମେତ ୧୨ ଜଣ କ୍ରୃ ମେମ୍ବର ଓ ୨ ଜଣ ପାଇଲଟ ଥିଲେ । ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଜଣାପଡିଛି ।
ସୂଚନା ଅନୁସାରେ , କତାର ଏୟାରୱେଜ୍ର କ୍ୟୁଆର – ୫୪୦ ବିମାନଟି ଭୋର ୩.୧୫ରେ କୋଲକାତା ବିମାନ ବନ୍ଦରରୁ ଦୋହାକୁ ଉଡାଣ ଭରିବାର ଥିଲା । ଯାତ୍ରୀମାନେ ମଧ୍ୟ ବିମାନରେ ବସି ସାରିଥିଲେ । ଏହି ସମୟରେ ଏୟାର ଇଣ୍ଡିଆର ଏକ ପାଣି ଟ୍ୟାଙ୍କର ବିମାନର ମଧ୍ୟ ଭାଗକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବିମାନର ମଧ୍ୟଭାଗର କିଛି ଅଂଶ ଭାଙ୍ଗି ଯାଇଥିବା ଦେଖାଯାଇଛି ।
ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଗାଡିର ବ୍ରେକ ଫେଲ ହୋଇଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏଥିରେ ଟ୍ୟାଙ୍କର ଡ୍ରାଇଭରଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଅନ୍ୟପଟେ ବିମାନ ବାତିଲ ହେବାଯୋଗୁ ଯାତ୍ରୀମାନଙ୍କୁ ହୋଟେଲରେ ରଖାଯାଇଛି । ସେମାନଙ୍କୁ ଆଜି କତାର ଅଭିମୁଖେ ଯାଉଥିବା ବିମାନରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦିଆଯିବ ବୋଲି ଜଣାପଡିଛି ।