ଆନ୍ଧ୍ରପ୍ରଦେଶ (ଏଟିଆର ବ୍ୟୁରୋ): ଆଜି ସକାଳେ ନାଲକୋଣ୍ଡା ଜିଲ୍ଲା ତେଲେଙ୍ଗାନାର ନାରକେଟପଲ୍ଲୀ ସ୍ଥିତ ଆନ୍ନାପାର୍ଥି ରୋଡରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଅଭିନେତା ତଥା ରାଜନେତା ନନ୍ଦମୁରୀ ହରିକ୍ରିଷ୍ଣାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଫାଉଣ୍ଡର ଏନ୍.ଟି ରାମାରାଓଙ୍କ ଚତୁର୍ଥ ପୁଅ ।
ମିଡିଆ ରିପୋର୍ଟ ଅନୁଯାୟୀ,ହରିକ୍ରିଷ୍ଣ ଏକ ବାହାଘରରେ ଯୋଗ ଦେବା ପାଇଁ ଆନ୍ଧ୍ରପ୍ରଦେଶର ନେଲୋର ଅଭିମୁଖେ ବାହାରି ଥିଲେ । ସହରରୁ ବାହାରିଲା ପରେ ତାଙ୍କ ଗାଡିର ବେଗ ଦୃତ ଗତିରେ ଥିଲା । ସେ ଏକ ବାଇକ୍ କୁ ଓଭରଟେକ୍ କଲାବେଳେ ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ପିଟି ଦେଇଥିଲେ । ଘଟଣା ସ୍ଥଳରୁ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି କାମିନି ସୁପର ସ୍ପେଶିଆଲୀଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ଫଳରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।