ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟାଟା ଗ୍ରୁପ୍ ଅଧିନକୁ ଯିବ ସରକାରୀ ଏୟାରଲାଇନ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟାରେ ଅଧିକ ଟଙ୍କା ଲଗାଇ ବିଡ୍ ଜିତିଛି ଟାଟା ସନ୍ସ । ଏଥିପାଇଁ ଟାଟା ଗ୍ରୁପ୍ ଏବଂ ସ୍ପାଇସଜେଟ୍ ର ଅଜୟ ସିଂ ବୋଲି ଲଗାଇଥିଲେ ।
ସରକାର ଦ୍ୱିତୀୟ ଥର ପାଇଁ ଏୟାର ଇଣ୍ଡିଆରେ ନିଜର ଅଂଶଧନ ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି। ଏହାପୂର୍ବରୁ ୨୦୧୮ ରେ ସରକାର କମ୍ପାନୀରେ ୭୬ ପ୍ରତିଶତ ଅଂଶ ବିକ୍ରି କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ କୌଣସି ପ୍ରତିକ୍ରିୟା ମିଳିନଥିଲା ।
୧୯୩୨ ମସିହାରେ ପ୍ରଥମେ ଟାଟା ଗ୍ରୁପ ଦ୍ୱାରା ହିଁ ଏୟାର ଇଣ୍ଡିଆ ଆରମ୍ଭ ହୋଇଥିଲା । ଟାଟା ଗ୍ରୁପ୍ ର ଜେ,ଆର,ଡି ଟାଟା ଏହାର ଶୁଭାରମ୍ଭ କରିଥିଲେ । ସେହି ସମୟରେ ସେ ଜଣେ କୁଶଳ ପାଇଲଟ ଥିଲେ ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଭାରତରୁ ଆରମ୍ଭ ହୋଇଥିଲା ସାଧାରଣ ବିମାନ ସେବା । ସେତେବେଳେ ଏହାର ନାମ ଏୟାର ଇଣ୍ଡିଆ ରଖାଯାଇ ଏହାକୁ ଏକ ସାର୍ବଜନୀନ କ୍ଷେତ୍ର କମ୍ପାନୀରେ ପରିଣତ କରାଗଲା ।
୧୯୪୭ ମସିହାରେ ଦେଶ ସ୍ୱାଧୀନତା ପରେ ଏକ ଜାତୀୟ ବିମାନ ଚଳାଚଳର ଆବଶ୍ୟକତା ଅନୁଭବ ହେଲା ଏବଂ ଭାରତ ସରକାର ଏୟାର ଇଣ୍ଡିଆର ୪୯% ଅଂଶଧନ ହାସଲ କଲେ । ଏହାପରେ ୧୯୫୩ରେ ଏୟାର କର୍ପୋରେସନ ଆକ୍ଟ ପାସ୍ କଲେ ଭାରତ ସରକାର ଏବଂ ଟାଟା ଗ୍ରୁପରୁ ଏହି କମ୍ପାନୀରେ ଅଧିକାଂଶ ଅଂଶଧନ କ୍ରୟ କରିଥିଲେ । ଏହିଭଳି ଭାବେ ଏୟାର ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ଏକ ସରକାରୀ କମ୍ପାନୀ ହୋଇଗଲା ।