ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାଜଧାନୀ ଦିଲ୍ଲୀକୁ ଏବେ ଅସ୍ତବ୍ୟସ୍ତ କରି ପକାଇଲାଣି ପ୍ରଦୂଷଣ । ଯାହାକୁ ନେଇ ଏବେ ରାଜଧାନୀବାସୀ ଏବେ ଚିନ୍ତାରେ । ମୋଟାମୋଟି ଭାବେ କହିବାକୁ ଗଲେ ଦିଲ୍ଲୀରେ ଏବେ ନିରାମୟ ଜୀବନ ଯାପନ କରିବା ଅସମ୍ଭବ ହୋଇ ପଡିଛି । ଦୀପାବଳି ପରେ ବାୟୁର ବେଗ ହ୍ରାସ ଯୋଗୁ ସହରରେ ଏପରି ଅବସ୍ଥା ଉପୁଜିଛି । ଏବେ ଏହାର ସିଧା ପ୍ରଭାବ ପଡିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ । ଜଣେ ସ୍କୁଲ ଅଧିକାରୀଙ୍କ ସୂଚନା ଅନୁସାରେ ଦିନକୁ ଦିନ ସ୍କୂୁଲ ମାନଙ୍କରେ ଉପସ୍ଥାପନା କମିବାରେ ଲାଗିଛି । ପୂର୍ବରୁ ଛାତ୍ର ଉପସ୍ଥାନ ୮୫ରୁ ୯୦ ପ୍ରତିଶତ ରହୁଥିଲା, ଯାହାକି ଏବେ ୭୦ ପ୍ରତିଶତକୁ ଖସି ଆସିଛି । ପ୍ରତିଦିନ ସ୍କୁଲରେ ଉପସ୍ଥାପନା କମିବାରେ ଲାଗିଛି ।
ବାୟୁ ପ୍ରଦୂଷଣ ଯୋଗୁ ପିଲାମାନେ ଏବେ ସ୍କୁଲରେ ଶାନ୍ତିରେ ବସି ପାରୁ ନାହାନ୍ତି । ପିଲାମାନଙ୍କର ଶ୍ୱାସ କ୍ରିୟାରେ ସମସ୍ୟା ହେବା ସହିତ ମୁଣ୍ଡ ବିନ୍ଧା, କାଶ ହେବା ଭଳି ସମସ୍ୟା ଦେଖାଯିବା ଅଭିଯୋଗ ହେଉଛି । ଯାହାକୁ ନେଇ କିଛି ଅଭିଭାବକ ପିଲାକୁ ସ୍କୁଲ ମଧ୍ୟ ଛାଡୁ ନାହାନ୍ତି । ବିଶେଷ କରି ଶ୍ୱାସ ଜନିତ ସମସ୍ୟା ଥିବା ପିଲାମାନେ ବେଶି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପଟେ ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାର ସହରବାସୀଙ୍କୁ ମାସ୍କ ବାଣ୍ଟିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ରାଜଧାନୀରେ ଲୋକଙ୍କୁ ୫୦ ଲକ୍ଷ ମାସ୍କ ବାଣ୍ଟନ କରିବେ ବୋଲି ଘୋଷଣା କରିଛନ୍ତି। ଶୁକ୍ରବାରଠାରୁ ରାଜଧାନୀରେ ମାସ୍କ ବଣ୍ଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।