ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶା ଲୋକ ସୁଦୁର ଦିଲ୍ଲୀ ଯାଇ ସେଠାରେ ଜଣେ ବିଚାରପତିଙ୍କୁ ଠକିଛନ୍ତି । ପୁଣି ଲକ୍ଷେ କି ୨ ଲକ୍ଷ ନୁହେଁ ପୁରା ୫୦ ଲକ୍ଷ ଚୂନ ଲଗାଇଛନ୍ତି । ଯାହାଙ୍କୁ ଏବେ ଦିଲ୍ଲୀ ପୁଲିସ ବହୁ କଷ୍ଟରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରୁ ଗିରଫ କରିଛି । ସୂଚନା ଅନୁସାରେ ଯୁବକ ଜଣଙ୍କ ନାମ ହେଉଛି ଅଜିତ ପାତ୍ର । ସେ ପାଟଣାଗଡର ବାସିନ୍ଦା । ସେ ପ୍ରଥମେ ପାଟଣାଗଡ ଛାଡି ଭୁବନେଶ୍ୱର ଆସିଥିଲେ । ପରେ ଦିଲ୍ଲୀ ଯାଇ ସେଠାରେ ଜମି ବ୍ୟବସାୟ କରୁଥିଲେ । ଏହି ପରିପ୍ରେକ୍ଷିରେ ସେ ଦିଲ୍ଲୀରେ ଜଣେ ବିଚାରପତିଙ୍କୁ ଜମି ଯୋଗାଇ ଦେବା ପାଇଁ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଅଗ୍ରିମ ନେଇଥିଲେ । ମାତ୍ର ତାଙ୍କୁ ଜମି ଦେବାକୁ ବିଳମ୍ଭ କରିଥିଲେ ।
ସେ ଯୋଗାଯୋଗ କରିବାରୁ ତାଙ୍କୁ ଏପଟସେପଟ କହିଥିଲେ । ପରେ ଅଜିତ ବିଚାରପତିଙ୍କ ନାମରେ ଆଗୁଆ ଟଙ୍କା ଠକେଇ କରିଥିବା ନେଇ ମାମଲା ଦାୟର କରିଥିଲେ । ଯାହାକୁ ଭିତ୍ତିକରି ପୋଲିସ ବିଚାରପତିଙ୍କୁ ପଚରା ଉଚରା କରିଥିଲା । ପୋଲିସ ପଚରାଉଚରାରୁ ଜାଣିବାକୁ ପାଇଥିଲା ପ୍ରକୃତରେ ଅଜିତ ଜଣେ ଠକ । ସେ ବିଚାରପତିଙ୍କ ଠାରୁ ୫୦ ଲକ୍ଷ ଠକି ନେଇଥିଲା । ସେତେବେଳକୁ ଅଜିତ ଦିଲ୍ଲୀ ଛାଡି ଭୁବନେଶ୍ୱରରେ ଲୁଚି ରହିଥିଲା । ଦିଲ୍ଲୀରେ ମଧ୍ୟ ଅଜିତର ବହୁ ପ୍ରଭାବଶାଳୀ ଲୋକଙ୍କ ସହିତ ଲିଙ୍କ ରହିଥିଲା । ଯାହା ଫଳରେ ପୋଲିସ ତାଙ୍କୁ ସହଜରେ ହାତ ମାରି ପାରୁନଥିଲା । ଓଡିଶାରେ ମଧ୍ୟ ତାର ବହୁ ବଡବଡ ବାବୁ ଓ ପ୍ରଭାବଶାଳୀ ଅଧିକାରୀଙ୍କ ସହିତ ଲିଙ୍କ ରହିଥିବା ଜଣା ପଡୁଛି । ଯାହାକୁ ଢାଲ କରି ସେ ଏମିତି ଠକେଇ କରିଥିଲା । ଏମିତି ଆଉ କିଛି ଲୋକଙ୍କୁ ଅଜିତ ଚୂନ ଲଗାଇଥିବା ଅନୁମାନ କରାଯାଉଛି । ତେବେ ଅଧିକ ତଦନ୍ତ ହେଲେ ଏସବୁ ଉପରୁ ଶିଘ୍ର ପରଦା ହଟିବ ବୋଲି ଆଶା କରାଯାଉଛି ।