ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଡେଥ ୱାରେଣ୍ଟ ଜାରି ହୋଇଥିବା ୪ ଅଭିଯୁକ୍ତ ଏବେ କାଳ କୋଠରୀରେ ବସି ମୃତ୍ୟୁର ଦିନ ଗଣୁଛନ୍ତି । ଏମିତି କି ମୃତ୍ୟୁରୁ ମୁକୁଳିବା ପାଇଁ ଆଇନର ଗଳାବାଟ ମଧ୍ୟ ଖୋଜୁଛନ୍ତି । ତେବେ ବହୁ ଦିନ ପରେ ଆଜି ଅଭିଯୁକ୍ତ ଅକ୍ଷୟଙ୍କ ପରିବାର ଲୋକେ ତିହାର ଜେଲରେ ପହଞ୍ଚି ଅକ୍ଷୟଙ୍କ ସହିତ ଦେଖା କରିଛନ୍ତି । ପାଖାପାଖି ୩ ମାସ ପରେ ଅକ୍ଷୟଙ୍କ ପୁତୁରା , ମା ଓ ସ୍ତ୍ରୀ ଅକ୍ଷୟଙ୍କୁ ଦେଖା କରିଛନ୍ତି । ବହୁ ଦିନ ପରେ ପରିବାର ଲୋକଙ୍କୁ ଦେଖିଥିବାରୁ ଅକ୍ଷୟ ଜେଲରେ କଇଁ କଇଁ ହୋଇ କାନ୍ଦି ପକାଇଥିଲା । ଅକ୍ଷୟର କାନ୍ଦରେ ପୁତୁରା, ମା ଓ ସ୍ତ୍ରୀ ମଧ୍ୟ କାନ୍ଦି ପକାଇଥିଲେ ।
ପରିବାର ଲୋକଙ୍କ ସହିତ ପାଖାପାଖି ଅଧଘଣ୍ଟା କାଳ କଥାବାର୍ତ୍ତା ହୋଇ ଆଇନର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିଲା । ସୂଚନାଯୋଗ୍ୟ ଏହି ୪ ଅଭିଯୁକ୍ତଙ୍କ ଫାଶୀ ତାରିଖ ପ୍ରଥମେ ଗତ ୨୨ ତାରିଖରେ ହେବା ପାଇଁ ଘୋଷଣା ହୋଇଥିଲା । ମାତ୍ର ରାଜକ୍ଷମା ଆବେଦନ ହେବାରୁ ଏହି ତାରିଖ ପୁଣି ଫେବୃଆରୀ ୧ ତାରିଖକୁ ଘୁଞ୍ଚିଛି । ୪ଦୋଷୀ ପଓ୍ବନ,ଅକ୍ଷୟ,ମୁକେଶ ଏବଂ ବିନୟ ଶର୍ମାଙ୍କ ବିରୋଧରେ ଦ୍ବିତୀୟ ଥର ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି। ବର୍ତ୍ତମାନ ମୁକେଶ ରାଷ୍ଟ୍ରପତିଙ୍କ ରାଜକ୍ଷମା ଖାରଜ କୁ ଭୁଲ ଦର୍ଶାଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛି । ତେବେ ସୁପ୍ରିମକୋର୍ଟ ଏହି ଯାଚିକାର ତ୍ୱରିତ୍ୱ ଶୁଣାଣି କରିବେ ବୋଲି କହିଛନ୍ତି ।