ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଆଜି ପ୍ରଥମ ଥର କାଶ୍ମୀର ଗସ୍ତରେ ବାହାରିଛନ୍ତି ସେନା ପ୍ରମୁଖ ବିପିନ ରାୱତ । ଇତି ମଧ୍ୟରେ ସେ କାଶ୍ମୀର ଘାଟିର ସୁରକ୍ଷା ସ୍ଥିତି ଏବଂ ପ୍ରସ୍ତୁତି ଉପରେ ସମୀକ୍ଷା କରିବେ ।
ଏହାପୁର୍ବରୁ ଗୁରୁବାର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲଦାଖ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ଲେହର ୨୬ତମ କିଷାନ-ଯବାନ-ବିଜ୍ଞାନ ମେଳାର ଉଦଘାଟନ କରିବା ସହ ସେ କହିଛନ୍ତି କି, ଭାରତର ଅଭିନ୍ନ ଅଙ୍ଗ ହେଉଛି ଜାମ୍ମୁ-କାଶ୍ମୀର, ଏହା ଉପରେ ପାକିସ୍ତାନର କୌଣସି ପ୍ରକାର ହକ୍ ନାହିଁ । କାଶ୍ମୀର କେବେ ପାକିସ୍ତାନର ଥିଲା ଯେ ଏବେ ସେ କାନ୍ଦୁଛି । ଏହି ପ୍ରସଙ୍ଗରେ କୌଣସି ଦେଶ ପାକିସ୍ତାନର ସାଥ୍ ଦେଉ ନାହାନ୍ତି । ପିଓକେ ଉପରେ ହେଉଥିବା ମାନବାଧିକାର ଉଲ୍ଲଘଂନ ଉପରେ ପାକିସ୍ତାନକୁ ଧ୍ୟାନ ଦେବା ଉଚିତ୍ । ମୁଁ ପାକିସ୍ତାନକୁ ପଚାରିବାକୁ ଚାହୁଁଛି କି କାଶ୍ମୀର କେବେ ତାଙ୍କର ଥିଲା? କାଶ୍ମୀର ପ୍ରଥମରୁ ଭାରତର ଅଂଶ ଥିଲା ଏବଂ ପାକିସ୍ତାନର କାଶ୍ମୀର ଉପରେ କୌଣସି ହକ୍ ନାହିଁ । କାଶ୍ମୀର ସର୍ବଦା ଭାରତ ସହ ଥିଲା ଆଉ ଆଗକୁ ମଧ୍ୟ ରହିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଆମେ ପାକିସ୍ତାନ ସହିତ କିଭଳି ଆଲୋଚନା କରିବୁ, ସେ ବାରମ୍ବାର ଆତଙ୍କବାଦୀ ବ୍ୟବହାର କରି ଭାରତକୁ ଅସ୍ଥିର କରିବା ପାଇଁ ଚେଷ୍ଟା କରୁଛି । ମାତ୍ର ଆମେ ପାକିସ୍ତାନ ସହିତ ପଡୋଶୀ ଭାବେ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ, କିନ୍ତୁ ଏଥିପାଇଁ ପ୍ରଥମେ ପାକିସ୍ତାନକୁ ଭାରତ ବିରୋଧରେ ଆତଙ୍କବାଦୀ ବ୍ୟବହାର ବନ୍ଦ କରିବାକୁ ପଡିବ । ଏବେ ଯେତେବେଳେ ବି ପାକିସ୍ତାନ ସହ ଆଲୋଚନା ହେବ ସିଧା ପିଓକେ ଉପରେ ।