ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୭୨ତମ ସେନା ଦିବସ ଅବସରରେ ଆଜି ଦିଲ୍ଲୀରେ ଭବ୍ୟ ପରେଡ୍ ର ଆୟୋଜନ କରାଯାଇଛି । ଯାହାର ସାଲ୍ୟୁଟ୍ ପ୍ରଥମଥର ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାୱତ ନେଇଛନ୍ତି । ଏହି ଅବସରରେ ସାହାସୀ ଯବାନଙ୍କୁ ପୁରସ୍କୃତ କରାଯାଇଛି । ସେପଟେ ପରେଡ୍ ର ନିରୀକ୍ଷଣ ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଭେଣ କରିଛନ୍ତି ।
ଏହି ଅବସରରେ ନରଭେଣ କହିଛନ୍ତି, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଏକ ଐତିହାସିକ ପଦକ୍ଷେପ । ଏହାଦ୍ୱାରା ରାଜ୍ୟକୁ ମୁଖ୍ୟ ଧାରାରେ ଯୋଡିବାରେ ସହଯୋଗ ମିଳିବ । ଆମେ ଭବିଷ୍ୟତରେ ସେନାଙ୍କ ପ୍ରସ୍ତୁତିକୁ ଆହୁରି ମଜବୁତ କରିବୁ । ଆମେ ଆତଙ୍କବାଦୀଙ୍କୁ ବିଲକୁଲ୍ ବରଦାସ୍ତ କରିପାରିବୁ ନାହିଁ ।
ଏହାପୂର୍ବରୁ ଆଜି ସକାଳୁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାୱତଙ୍କ ସହିତ ତିନି ସେନାର ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଭଣେ, ଏୟାରଚିଫ୍ ମାର୍ସଲ ଆରକେଏସ ଭୌଦରିୟା ଏବଂ ନୌସେନା ପ୍ରମୁଖ ଏଡମିରାଲ କରମବୀର ସିଂହ ପ୍ରମୁଖ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ପହଁଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ଅବସରରେ ସେନାର ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସେପଟେ ସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ସେନା ଭାରତ ମାତାଙ୍କ ଆନ୍, ବାନ୍ ଏବଂ ଶାନ୍ । ସେନା ଦିବସ ଅବସରରେ ମୁଁ ଦେଶର ସମସ୍ତ ସେନାଙ୍କ ଅଦମ୍ୟ ସାହସ, ଧୈର୍ଯ୍ୟ ଏବଂ ପରାକ୍ରମକୁ ସଲାମ କରୁଛି ।