ଜାମ୍ମୁକାଶ୍ମୀର (ଏଟିଆର ବ୍ୟୁରୋ): ୩୭୦ ଉଚ୍ଛେଦ ଦିନକୁ ଦିନ ସ୍ଥିତି ସାମାନ୍ୟ ହେଉଛି । ବିଭକ୍ତ ହୋଇଥିବା ଲଦାଖ ଓ କାଶ୍ମୀରରେ ଆଜିଠାରୁ ସରକାରୀ କାର୍ଯ୍ୟାଳୟ ଖୋଲିବ । ଗତକାଲି ରାଜ୍ୟପାଳ ସତ୍ୟପାଲ ମଲିକ୍ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିବା ପରେ ଆଜି ସରକାରୀ ଅଫିସ୍ ଏବଂ ଅନ୍ୟ କାର୍ଯ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ନମାଜ ପାଠ ପରେ କେତେ କୋହଳ କରାଯିବ ତାହା ସ୍ଥିର ହେବ । ଫୋନସେବା ସ୍ୱାଭାବିକ ହେବା ପ୍ରସଙ୍ଗରେ ବିଶେଷ ସୂତ୍ରର ଖବର ଅନୁସାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ହେବା ପରେ ନିଷ୍ପତି ନିଆଯିବ ।
ଆଜି ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏପର୍ଯ୍ୟନ୍ତ ୫ ଦିନ ହେଲା ସୀମାରେ କୌଣସି ପ୍ରକାର ହିଂସା ଦେଖିବାକୁ ମିଳି ନାହିଁ । ସେହିଭଳି ଆଜି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପକ୍ଷରୁ ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ଘଟଣାକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ତେବେ ଗତକାଲି ସ୍ୱାଧୀନତା ଦିବସକୁ ନେଇ କୌଣସି ଅପ୍ରିତିକର ଘଟଣା ଘଟି ନାହିଁ ବୋଲି ରାଜଭବନ ପ୍ରବକ୍ତା କହିଛନ୍ତି ।
ସେହିଭଳି କାଶ୍ମୀରରେ ପ୍ରଶାସନର ପ୍ରତିବନ୍ଧକ ଉପରେ ସାଧାରଣ ଲୋକ ସହଯୋଗ କରିଥିବାରୁ ରାଜ୍ୟପାଳ ସାଧାରଣ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହଭଳି ବନ୍ଦ ହୋଇଥିବା ଅମରନାଥ ଯାତ୍ରା ବାବଦରେ ରାଜ୍ୟପାଳ ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରାରେ କୌଣସି ଅଘଟଣ ଘଟି ନାହିଁ । ୩୦ ଦିନ ଛୋଟିଆ ଅବଧି ପାଇଁ ଖୋଲା ହୋଇଥିବା ଅମରନାଥରେ ୩.୩୦ ଲକ୍ଷ ଲୋକ ଅମରନାଥଙ୍କ ଦର୍ଶନ କରିଛନ୍ତି ।