ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦୀର୍ଘବର୍ଷ ହେଲା ଅଯୋଧ୍ୟା ରାମ ଜନ୍ମଭୂମିକୁ ନେଇ ଲାଗି ରହିଥିବା ମାମଲାର ଆଜି ଶେଷ ଶୁଣାଣି ହେବ । ସୁପ୍ରିମ କୋର୍ଟର ୪୦ ତମ ଶୁଣାଣି ଏହି ମାମଲାର ଶେଷ ଶୁଣାଣି ହେବ ବୋଲି ସୂଚନା ମିଳିଛି । ଏନେଇ ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ ସଙ୍କେତ ଦେଇଛନ୍ତି। ତେବେ ଆଜିର ଶେଷ ଶୁଣାଣିରେ ଉଭୟ ପକ୍ଷଙ୍କୁ ନିଜ ନିଜର ଯୁକ୍ତି ବାଢିବା ପାଇଁ ୪୫ ମିନିଟ ସମୟ ଦିଆଯିବ ବୋଲି ପ୍ରଧାନ ବିଚାରପତି ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗତକାଲି ହୋଇଥିବା ଶୁଣାଣିରେ ରାମ ଜନ୍ମଭୂମିରେ ମସଜିଦ୍ ନିର୍ମାଣ କରି କ୍ଷମତାଲୋଭୀ ଶାସକ ବାବର କରିଥିବା ଐତିହାସିକ ଭୁଲ୍ ସୁଧାରିବାର ସମୟ ଆସିଛି ବୋଲି ସୁପ୍ରିମ୍କୋର୍ଟରେ ମତ ରଖିଛନ୍ତି ହିନ୍ଦୁ ପକ୍ଷ। ଅଯୋଧ୍ୟାରେ ବହୁତ ମସଜିଦ୍ ରହିଛି ଯେଉଁଠାରେ ମୁସଲିମ୍ମାନେ ପ୍ରାର୍ଥନା ଓ ଉପାସନା କରିପାରିବେ। କିନ୍ତୁ ହିନ୍ଦୁମାନେ ରାମଙ୍କ ଜନ୍ମସ୍ଥାନ ବଦଳାଇପାରିବେନି ହିନ୍ଦୁ ପକ୍ଷ ମତ ରଖିଥିଲେ । ଅନ୍ୟପଟେ ଗତକାଲି ହିନ୍ଦୁ ପକ୍ଷଙ୍କୁ ମଧ୍ୟ ଖଣ୍ଡପୀଠ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ । ତେବେ ଏହି ରାୟ ପ୍ରକାଶ ପାଇବା ପୂର୍ବରୁ ଅଯୋଧ୍ୟା ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ଡିସେମ୍ବର ୧୦ ତାରିଖ ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।