ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ବଡ ନିଷ୍ପତି ନିଆଯାଇଛି । ସେହିଅନୁଯାୟୀ କର୍ମଚାରୀ ଏବଂ ପେନସନଧାରୀଙ୍କ ମହଙ୍ଗାଭତ୍ତା ବୃଦ୍ଧି ଉପରେ ରୋକ ଲଗାଯାଇଛି । ଏହା ୨୦୨୧ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ଜାରି ରହିବ ।
ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ, କରୋନା ସଙ୍କଟ ଯୋଗୁଁ ୨୦୨୦ ମସିହା ଜାନୁଆରୀ ମାସ ୧ ତାରିଖଠାରୁ କେନ୍ଦ୍ରୀୟ କର୍ମଚାରୀ ବା ପେନସନଧାରୀଙ୍କୁ ମିଳିବାକୁ ଥିବା ଡିଏ ବା ମହଙ୍ଗାଭତ୍ତା ଦିଆଯିବ ନାହିଁ । ସେହିପରି ୧ ଜୁଲାଇ ୨୦୨୦ ରୁ ଯେଉଁ ଆଡିସନାଲ ଡିଏ ମିଳିବାର ଥିଲା ତାକୁ ବି ଦିଆଯିବ ନାହିଁ ।
ସରକାରଙ୍କ ଏହି ନିଷ୍ପତିର ପ୍ରଭାବ ୫୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଧାରୀଙ୍କ ଉପରେ ପଡିବ ।
ସୂଚନାଯୋଗ୍ୟ, ଗତ ମାସରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗାଭତ୍ତାରେ ୪ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ସେହିଅନୁଯାୟୀ ଡିଏ କୁ ୧୭ ପ୍ରତିଶତରୁ ବୃଦ୍ଧି କରି ୨୧ ପ୍ରତିଶତ କରାଯାଇଥିଲା ।