ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୃହମନ୍ତ୍ରାଳୟ ପକ୍ଷରୁ ଶ୍ରମିକ ଟ୍ରେନକୁ ନେଇ ମେ ୧ ରେ ଜାରି କରାଯାଇଥିବା ସର୍କୁଲାରକୁ ଏବେ ଫେରସ୍ତ ନିଆଯାଇଛି । ଏବେ ନୂତନ ସର୍କୁଲାର ଜାରି କରାଯାଇଛି । ସେହିଅନୁଯାୟୀ ଶ୍ରମିକ ଟ୍ରେନ ଚଲାଇବାକୁ ନେଇ ରେଲୱେକୁ ରାଜ୍ୟ ସରକାରଙ୍କ ସହମତିର ଆବଶ୍ୟକତା ନାହିଁ ।
ପୂର୍ବ ସର୍କୁଲାର ଅନୁସାରେ ଯେଉଁ ରାଜ୍ୟକୁ ଶ୍ରମିକ ଟ୍ରେନ ଚଲାଇବାର ଥିଲା ସେଠାକାର ରାଜ୍ୟ ସରକାରଙ୍କ ସହମତି ଜରୁରୀ ପଡୁଥିଲା । କିନ୍ତୁ ଗତ କିଛି ଦିନରେ ରେଲୱେ ଏବଂ ରେଲମନ୍ତ୍ରୀ ବାରମ୍ବାର କହିବା ପରେ ବି ଅନେକ ରାଜ୍ୟ ପକ୍ଷରୁ ଟ୍ରେନ ଚଲାଇବାକୁ ଅନୁମତି ମିଳିନଥିଲା । ସେଥିପାଇଁ ଏବେ ରେଲୱେ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହାପୂର୍ବରୁ ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଥିଲେ କି, ଦେଶର ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପହଁଚେଇବା ପାଇଁ ଭାରତୀୟ ରେଲୱେ ଏକ ହଜାର ୩୪ ଟି ଶ୍ରମିକ ସ୍ପେଶାଲ ଟ୍ରେନ ସଂଚାଳନ କରିଛି ।