ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ଓଡ଼ିଶା ବିଜେପିର ଏହି ନେତା ପୂର୍ବରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି-ବିଜେପି ମେଣ୍ଟ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
ଚିଲିକାରୁ ୨ ଥର ଓ ଭୁବନେଶ୍ୱରରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀ ହରିଚନ୍ଦନ ପୂର୍ବରୁ ଓଡିଶାର ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଜଣାଇଛନ୍ତି ଯେ, ବିଶ୍ବଭୂଷଣ ବାବୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେବା ଓଡିଶା ପାଇଁ ଗୌରବ ଏବଂ ସମ୍ମାନର ବିଷୟ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବାରୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଅଭିନନ୍ଦନ । ଓଡ଼ିଶାକୁ ପୁଣି ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀ @narendramodi ଜୀ ଓ ଗୃହମନ୍ତ୍ରୀ @AmitShahଙ୍କୁ କୃତଜ୍ଞତା ।
— Dharmendra Pradhan (@dpradhanbjp) July 16, 2019
ସେହିଭଳି ରାଜ୍ୟପାଳ ହେବା ପରେ ବିଶ୍ୱଭୂଷଣ ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ ଗତ ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏମିତି କିଛି ଘଟିବ ବୋଲି ସେ ଜାଣି ସାରିଥିଲେ ବୋଲି କହିଛନ୍ତି। ସେ କହିଛନ୍ତି ମୋଦିଙ୍କ ସହ ଆଲୋଚନା ବେଳେ ସେ ସେମିତି କିଛି ହେବ ବୋଲି ଆଶା କରୁଥିଲେ। ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।