ଅହମଦାବାଦ(ଏଟିଆର ବ୍ୟୁରୋ): ହାଇ ସିକ୍ୟୁରିଟ୍ ଜୋନ୍ କୁ ହାଇ ଫାଇ ଧମକ । ବୋମା ପକାଇ ଉଡାଇ ଦେବାକୁ ଖୁଲମ ଖୁଲା ଧମକ । ଭୁବନେଶ୍ୱର ପରେ ଏବେ ଗୁଜୁରାଟର ଅହମଦାବାଦରେ ଏସବିପି ଅର୍ନ୍ତଜାତୀୟ ବିମାନବନ୍ଦରକୁ ମିଳିଛି ଏଭଳି ଏକ ଧମକ ପୂର୍ଣ୍ଣ ଫୋନ୍ କଲ୍ । ଯାହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି । ସିଧା କହିବାକୁ ଗଲେ ଆତଙ୍କିତ ହୋଇ ପଡିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।
ଖାସ୍ ଏଥି ପାଇଁ ବିମାନବନ୍ଦରର ସୁରକ୍ଷାକୁ ଅଧିକ ମାତ୍ରାରେ ବଢାଇ ଦିଆଯାଇଛି । ବିମାନବନ୍ଦର ଅଥରିଟିଙ୍କ ସୂଚନା ମୁତାବକ , ମୁମ୍ବାଇରୁ ଏକ ଫୋନ୍ କଲ ଆସିଥିଲା । ଟାର୍ଗେଟ କରାଯାଇଥିଲା ଏୟାରପୋର୍ଟର ଟର୍ମିନାଲ ୨କୁ । ଫୋନ କରିଥିବା ବ୍ୟକ୍ତି ସିଧାସଳଖ କହିଥିଲେ ଯେ ବୋମା ପକାଇ ଉଡାଇ ଦେବେ । ଏସବିପି ଅର୍ନ୍ତଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି କି , ଟର୍ମିନାଲ ୨ରେ ରହିଛି ଏୟାର ଇଣ୍ଡିଆ କାର୍ଯ୍ୟାଳୟ । ସେଥିପାଇଁ ଏହାକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଆସିଛି । ଏହି ଫୋନ କଲ ରବିବାର ସକାଳ ସମୟରେ ଆସିଥିଲା ।
ଏୟାରପୋର୍ଟର ପ୍ରଶାସକ କହିଛନ୍ତି କି, ଏହି ଫୋନ୍ କଲ୍ ପରେ ଏୟାରପୋର୍ଟର ସୁରକ୍ଷାକୁ ଅଧିକ ମାତ୍ରାରେ ବଢାଇ ଦିଆଯାଇଛି । ଏହାସହିତ ସମସ୍ତ ଉଡାଣ କାର୍ଯ୍ୟ ପରିଚାଳନା ଜାରି ରହିଛି । ତେବେ କିଏ ଓ କେଉଁଠୁ ଏହି କଲ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସୂଚନା ଯୋଗ୍ୟ, ଗତ କିଛି ମାସ ପୂବେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ଏଭଳି ଦୁଇ ଦୁଇ ଥର କଲ ଆସିଥିଲା । ଯାଞ୍ଚ ସମୟରେ ଯେଉଁ ବ୍ୟକ୍ତି ଧରାପଡିଥିଲେ ତାଙ୍କର ମାନସିକ ସ୍ଥିତି ଠିକ ନଥିଲା ବୋଲି ଜଣାପଡିଥିଲା । ଏଭଳି କ୍ଷେତ୍ରରେ ଅହମଦାବାଦର ଏହି କଲ ପଛରେ ସେଭଳି କିଛି କାରଣ ନାହିଁ ତ’ । ତେବେ ସେ ଯାହା ହେଉ ଏହି ଫୋନ କଲକୁ ଗୁରୁତର ସହ ନେଇ ବିମାନବନ୍ଦର ପୁଲିସ ଖୋଳତାଡ ଆରମ୍ଭ କରିଛି । ଖୁବଶୀଘ୍ର ଫୋନ୍ କଲ କରିଥିବା ବ୍ୟକ୍ତି ପାଖରେ ପୁଲିସ ପହଞ୍ଚିବ ବୋଲି ଆଶା ବାନ୍ଧିଛି ।