ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତିବର୍ଷ ଗରତନ୍ତ୍ର ଦିବସରେ ମୁଖ୍ୟ ଅତିଥିରୂପେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇଥାଏ । ତେବେ ଚଳିତବର୍ଷ ୭୧ତମ ଗଣତନ୍ତ୍ର ଦିବସ ଅବସରରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଜାନୁଆରୀ ୨୪ରୁ ୨୭ ପର୍ଯ୍ୟନ୍ତ ଭାରତରେ ରହିବେ ବ୍ରାଜିଲ ରାଷ୍ଟ୍ରପତି । ଗଣତନ୍ତ୍ର ଦିବସରେ ଯୋଗ ଦେବା ବ୍ୟତିତ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ବ୍ରାଜିଲ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଭାରତ ଗ୍ରସ୍ତ ହେବ ।
ଏହି ଗ୍ରସ୍ତ ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରତିରକ୍ଷା, ଶକ୍ତି, କୃଷି, ସ୍ୱସ୍ଥ୍ୟ ଓ ଖଣିଜ କ୍ଷେତ୍ରରେ ୨୦ଟି ବୁଝାମଣା ହୋଇପାରେ । ଉଭୟ ଦେଶ ହାଇଡ୍ରୋକାର୍ବନ ସେକ୍ଟରରେ ମଜବୁତ ଓ ପ୍ରତିରକ୍ଷା ଶିଳ୍ପ ଉପରେ ଫୋକସ ସହିତ ଉଭୟ ରାଷ୍ଟ୍ର ୨୦୦୬ରେ ଦସ୍ତଖତ କରିଥିବା ରଣନୀତି ବୁଝାମଣାକୁ ଆଗକୁ ନେବାକୁ ପ୍ରସ୍ତୁତ ଅଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ନିଜର ୭ମନ୍ତ୍ରୀ ଏବଂ ପାଖାପାଖି ୧୫ ସରକାରୀ ଅଧିକାରୀଙ୍କ ସହିତ ଦିଲ୍ଲୀ ପହଞ୍ଚିବେ। ସେ ୨୪ରେ ଭାରତ ପହଞ୍ଚିବା ପରେ ୨୫ ଜାନୁଆରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସାମିଲ ହେବେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିବେ। ଗଣତନ୍ତ୍ର ଦିବସ ପରେ ବ୍ରାଜିଲ ରାଷ୍ଟ୍ରପତି ଭାରତ-ବ୍ରାଜିଲ ବିଜନେସ ସମ୍ମିଳନୀକୁ ଉଦବୋଧନ ଦେବେ।