ବମ୍ବେ (ଏଟିଆର ବ୍ୟୁରୋ ) ; ‘ନପୁଂସକ’ କହିବା ପଡିବ ମହଙ୍ଗା । ‘ନପୁଂସକ’ କହିଲେ ହେବ ମାନହାନୀ ମକଦମା । କୌଣସି ବ୍ୟକ୍ତି ସମ୍ପର୍କରେ ‘ନପୁଂସକ’ ଶବ୍ଦର ପ୍ରୟୋଗ କରିବା ଦ୍ୱାରା ତାଙ୍କର ପୁରୁଷ ପଣିଆ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଏହା ମାନହାନୀ ସଙ୍ଗେ ସମାନ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । ପତ୍ନୀଙ୍କ ବିରୋଧରେ ସ୍ୱାମୀ ଆଣିଥିବା ଏକ ଅଭିଯୋଗର ବିଚାର କରି ବମ୍ବେ ହାଇକୋର୍ଟର ଜଷ୍ଟିସ ସୁନୀଲ ଶୁକ୍ରେ ଏପରି ରାୟ ଶୁଣାଇଛନ୍ତି ।
ଏକ ଅପରାଧିକ ମାମଲାର ବିଚାରରୁ ଛାଡ ପାଇବା ଲାଗି ପତ୍ନୀ କରିଥିବା ଆବେଦନକୁ କୋର୍ଟ ଖାରଜ କରି କୌଣସି ବ୍ୟକ୍ତିଙ୍କୁ ‘ନପୁଂସକ’ କହିବା ମାନହାନୀ ସହିତ ସମାନ ବୋଲି କୋର୍ଟ କହିଛନ୍ତି । ଦେଶରେ ଛାଡପତ୍ର ପାଇଁ ଯୌତୁକ , ଗୃହବିବାଦ , ନିର୍ଯ୍ୟାତନା ଭଳି କାରଣ ଥିବା ବେଳେ ଏବେ ସ୍ୱାମୀ ‘ନପୁଂସକ’ ବୋଲି ଅଭିଯୋଗ ଦର୍ଶାଇ ଛାଡ ପତ୍ର ଆବେଦନ କରାଯାଉଛି ।
ସାଧାରଣ ଓ ବ୍ୟାକରଣଗତ ଦୃଷ୍ଟିରେ ‘ନପୁଂସକ’ ଶବ୍ଦଟି କୌଣସି ବ୍ୟକ୍ତିର ପୁରୁଷପଣିଆ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଯାହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟମାନ ଶୁଣିବାକୁ ମିଳିଥାଏ । ତେବେ ‘ନପୁଂସକ’ ଶବ୍ଦଟି ଧାରା ୪୯୯ ର ଅନ୍ତଭୁକ୍ତ ହେବା ସହ ଧାରା ୫୦୦ ଅନୁଯାୟୀ ମାନହାନୀ ବୋଲି ଜଣାଯାଏ । ତେବେ ପିଲାଜନ୍ମ କ୍ଷେତ୍ରରେ ଡାକ୍ତରମାନେ ପୁରୁଷଙ୍କ ପ୍ରତି ନପୁଂସକ ବୋଲି ଶବ୍ଦକୁ ପ୍ରୟୋଗ କରିଥାଆନ୍ତି । ହେଲେ ଏହାଦ୍ୱାରା ପୁରୁଷପ୍ରତି ହେଉଥିବା କ୍ଷତି ଅପୂରଣୀୟ ବୋଲି କୋର୍ଟ କହିଛନ୍ତି । ସେପଟେ ହାଇକୋର୍ଟଙ୍କ ଏପରି ରାୟ ଅନେକ ସ୍ୱାମୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।