ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରକାରୀ ଦୂରସଂଚାର କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଆଗାମୀ ୬ ମାସରେ ୪ଜି ସେବା ଲଞ୍ଚ କରିବ । ସେଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ କମ୍ପାନୀ ।
ଏନେଇ ଗଣମାଧ୍ୟମକୁ ସାକ୍ଷାତ କରି କମ୍ପାନୀର ଚେୟାରମ୍ୟାନ ପି.କେ ପୁରୱାର କହିଛନ୍ତି, କମ୍ପାନୀ ତାର ଉପକରଣ ଗୁଡିକୁ ଅପଗ୍ରେଡ କରିବାରେ ଲାଗିଛି । ଯେଉଁଥି ପାଇଁ ୬ ମାସ ସମୟ ଲାଗିବ । ଏହାବ୍ୟତିତ ସେହି ସହରକୁ ବି ବଛା ଯାଉଛି, ଯେଉଁଠି କମ୍ପାନୀ ସର୍ବ ପ୍ରଥମେ ଏହି ସେବା ଲଞ୍ଚ କରିବ । ଏଥିପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଅଣାଯିବ, କାରଣ ଏହି ସେବାକୁ ପୂରା ଦେଶରେ ଆରମ୍ଭ କରିବାରେ ବହୁତ ସମୟ ଲାଗିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଏପର୍ଯ୍ୟନ୍ତ ୪୦ ହଜାର କର୍ମଚାରୀ ଭିଆରଏସ ପାଇଁ ଆବେଦନ କରିଛନ୍ତି । ଆମର ଲକ୍ଷ୍ୟ ୭୦ ରୁ ୮୦ ଜହାର ମଧ୍ୟରେ ରହିଛି । ଏହାବ୍ୟତିତ ଗୃପ ଏ ର ତିନି ହଜାର ଅଧିକାରୀ ଭିଆରଏସ ପାଇଁ ଆବେଦନ କରିବେ ।
ସରକାରଙ୍କ ପକ୍ଷରୁ ଗତ ମାସରେ ବିଏସଏନଏଲ ଏବଂ ଏମଟିଏନଏଲ ପାଇଁ ୬୯ ହଜାର କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜ ଘୋଷଣା କରାଯାଇଥିଲା । ଯେଉଁଥିରେ ଘାଟାରେ ଚାଲୁଥିବା ଦୁଇ କମ୍ପାନୀର ମର୍ଜ, ତାର ସମ୍ପତିକୁ ବିକ୍ରି କରିବା ଏବଂ କର୍ମଚାରୀଙ୍କ ଭିଆରଏସ ସାମିଲ ଥିଲା ।