ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ୟାଫେ କଫି ଡେ (ସିସିଡି)ର ସଂସ୍ଥାପକ ଭି.ଜି ସିଦ୍ଧାର୍ଥ ସେମାବାର ରାତିରୁ ନିଖୋଜ ଅଛନ୍ତି । ସେ କର୍ଣ୍ଣାଟକର ମଙ୍ଗଲୁରୁ ସ୍ଥିତ ନେତ୍ରାବତୀ ନଦୀ ନିକଟରୁ ନିଖୋଜ ହୋଇଯାଇଥିବାର କୁହାଯାଉଛି । ତାଙ୍କୁ ଖୋଜିବା ପାଇଁ ପୋଲିସ ଏବଂ କୋଷ୍ଟଗାର୍ଡ ଟିମ୍ ଲାଗିପଡିଛନ୍ତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଜ୍ୱାଇଁ ହେଉଛନ୍ତି ସିଦ୍ଧାର୍ଥ ।
ସିଦ୍ଧାର୍ଥ ନିଖୋଜ ଥିବା ଖବର ପ୍ରସାରିତ ହେବା ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା, କଂଗ୍ରେସ ନେତା ଡି.କେ ଶିବକୁମାର ଏବଂ ବି ଏଲ ଶଙ୍କର ପ୍ରମୁଖ ଏସ ଏମ କୃଷ୍ଣାଙ୍କ ବାସଭବନରେ ପହଁଚିଛନ୍ତି ।
ଏନେଇ ପୋଲିସର କହିବାନୁଯାୟୀ , ବର୍ତ୍ତମାନ କିଛି କହିବା ସମ୍ଭବ ନୁହେଁ । ସିସିଡି ଏବଂ କୋକାକୋଲା କମ୍ପାନୀ ମଧ୍ୟରେ ସିସିଡିକୁ ବିକ୍ରି କରିବାର ଆଲୋଚନା ହେଉଥିବାର କୁହାଯାଉଛି । ନିକଟରେ ସିଦ୍ଧାର୍ଥ ତାଙ୍କର କିଛି ଷ୍ଟେକକୁ ୩୦୦୦ କୋଟିରେ ବିକ୍ରି କରିଥିଲେ ।
ସିର୍ଦ୍ଧାର୍ଥଙ୍କ ଡ୍ରାଇଭରଙ୍କ କହିବାନୁଯାୟୀ, ନେତ୍ରାବତୀ ନଦୀର ପୋଲ ଉପରେ କାର ରଖିବା ପାଇଁ ସେ କହିଥିଲେ । ତାପରେ ସେ କାରରୁ ଓହ୍ଲାଇବା ସହ କିଛି ସମୟ ଭିତରେ ଆସୁଛି ବୋଲି କହିଥିଲେ । ଅଧଘଣ୍ଟା ପରେ ହୋଇଯିବାରୁ ମୁଁ ବାବୁଙ୍କୁ ଫୋନ୍ ଲଗାଇଲା ବେଳକୁ ତାଙ୍କ ଫୋନ ବନ୍ଦ ଦେଖାଇଥିଲା ।
କଂଗ୍ରେସ ନେତା ୟୁ ଟି ଖାଦରଙ୍କ କହିବାନୁଯାୟୀ, ଘଟଣାର ସର୍ଚ୍ଚ ଅପରେଶନ ଜାରି ରହିଛି । କିନ୍ତୁ ଯେବେ ସିଦ୍ଧାର୍ଥ ନିଖୋଜ ଥିବା ଖବର ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଥିଲେ ।