ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏୟାର ଇଣ୍ଡିଆକୁ ଆର୍ଥିକ ସହାୟତାର ହାତ ବଢାଇବେ ସରକାର । ଭାରତ ସରକାରଙ୍କ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଜରୁରୀକାଳୀନ ସ୍ଥିତିରେ ବିକିବା ପ୍ରସ୍ତାବକୁ ଖାରଜ୍ କରି ସରକାର ଏଥିପାଇଁ ୨୩୦୦ କୋଟି ଟଙ୍କା ସହାୟତା କରିବେ ବୋଲି ସଂସଦରେ ମଞ୍ଜୁରୀ ମାଗିଛି । ଲଗାତର ଭାବେ କ୍ଷତିରେ ଚାଲୁଥିବା ଏହି କମ୍ପାନୀକୁ ଲାଭ କରାଇବା ପାଇଁ ଅନେକ ପ୍ରୟାସ ଅସଫଳ ରହିଛି ।
ସରକାରଙ୍କ ପକ୍ଷରୁ ଏହି କମ୍ପାନୀକୁ ଘରୋଇକରଣ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହାର କୌଣସି ଫଳପ୍ରଦ ହୋଇନାହିଁ । ଗତ ଦଶବର୍ଷ ହେବ ଏହି କମ୍ପାନୀର କୌଣସି ଲାଭ ହେଉ ନାହିଁ ବରଂ ଓଲଟି କ୍ଷତି ହୋଇଛି । ପାଖାପାଖି ୮ ବିଲିୟନ ଡଲାରରୁ ଅଧିକ କରଜରେ ଡୁବିଛି କମ୍ପାନୀ ।
ଗତ ସପ୍ତାହରେ ରାଜ୍ୟ ବିମାନ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଥିଲେ କି, ଏୟାର ଇଣ୍ଡିଆର ସ୍ଥିତି ସୁଧାରିବା ପାଇଁ ସରକାର କାମ ଚଳାଇଛନ୍ତି । ଏଥିରେ କମ୍ପାନୀର ଆର୍ଥିକ ପ୍ୟାକେଜ୍, ନୂତନ ବୋଡିଂ ସିଷ୍ଟମ,ସଂଗଠନ ଏବଂ ଗଭର୍ଣ୍ଣାନ୍ସ ରେ ସୁଧାର ଆଣିବା ସହ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଆଦି ସାମିଲ ଅଛି ।