ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଝଟକା । ପ୍ରକୃତରେ ବ୍ୟାଙ୍କ ତାର କିଛି ନିୟମରେ ପରିବର୍ତ୍ତନ କରିଛି । ଖାସ୍ କରି ଆଇଡିବିଆଇ ବ୍ୟାଙ୍କର ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ନିୟମ ଡିସେମ୍ବର ମାସରୁ ଲାଗୁ କରାଯିବ ।
ନୂତନ ନିୟମ ଅନୁସାରେ ଯଦି ଆଇଡିବିଆଇ ବ୍ୟାଙ୍କର କୌଣସି ଗ୍ରାହକ ଅନ୍ୟ ବ୍ୟାଙ୍କର ଏଟିଏମ୍ ରୁ ଟଙ୍କା ଉଠାଉଛନ୍ତି । କିନ୍ତୁ ପର୍ଯ୍ୟାପ୍ତ ରାଶି ନଥିବା ଯୋଗୁଁ ଟ୍ରାଞ୍ଜାକ୍ସନ ଫେଲ ହେଉଛି ତେବେ ତାଉପରେ ଚାର୍ଜ ଲାଗିବ । ପ୍ରତି ଟ୍ରାଞ୍ଜାକ୍ସନରେ ଏହି ଚାର୍ଜ ୨୦ ଟଙ୍କା ରହିଛି । ଏହା ଉପରେ ଅଲଗା ଟ୍ୟାକ୍ସ ଲଗାଯିବ । ଏହି ନୂତନ ନିୟମ ସମ୍ବନ୍ଧରେ ବ୍ୟାଙ୍କ ପକ୍ଷରୁ ଏସଏମଏସ ଜରିଆରେ ଗ୍ରାହକଙ୍କୁ ସୂଚିତ କରାଯାଉଛି । ନିୟମଟି ଡିସେମ୍ବର ୧ରୁ ଲାଗୁ ହେବ ।
ସୂଚନାଯୋଗ୍ୟ, ୧୯୬୪ ରେ ସ୍ଥାପିତ ହୋଇଥିବା ଏହି ବ୍ୟାଙ୍କ ପ୍ରଥମରୁ ସରକାରୀ ଅଧିନରେ ଥିଲା କିନ୍ତୁ ୨୦୧୮ ରେ ଏଲଆଇସି ଏହି ବ୍ୟାଙ୍କର ୫୧ ପ୍ରତିଶତ ଅଂଶ କିଣିଥିଲା । ଏହାପରେ ଜାନୁଆରୀ ୨୧ ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ବ୍ୟାଙ୍କକୁ ଘରୋଇ ବ୍ୟାଙ୍କ ରୂପେ ଘୋଷଣା କରାଯାଇଥିଲା ।