ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧନତେରସ ଏବଂ ଦୀପାବଳୀ ପୂର୍ବରୁ ଘରୋଇ ବଜାରରେ ଲଗାତର ଭାବେ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ଇତି ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସୀ ଖବର ଆଣିଛନ୍ତି ସରକାର । ସରକାରଙ୍କ ପକ୍ଷରୁ ଶସ୍ତା ଦରରେ ସୁନା କିଣିବା ପାଇଁ ମଉକା ଦିଆଯାଇଛି । ସୋଭେରେନ ଗୋଲ୍ଡ ବଣ୍ଡ ଯୋଜନା ଅନୁଯାୟୀ ବଜାର ମୂଲ୍ୟ ଠାରୁ କମ ଦରରେ ସୁନା କିଣି ପାରିବେ ଗ୍ରାହକ । ଏହି ଯୋଜନାର ଆଜି ପ୍ରଥମ ଦିନ । ସୁନା ବିକ୍ରିର ଲାଭ ଉପରେ ଆୟକର ନିୟମ ଅନୁଯାୟୀ ଛୁଟ୍ ମିଳିବ । ତେବେ ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ..
ଯୋଜନା ଅନୁଯାୟୀ ନିବେଶ କରିବାର ଅବଧି ଆଜିଠାରୁ ମାନେ ଅକ୍ଟୋବର ୨୧ ରୁ ଆରମ୍ଭ ହୋଇଯାଇଛି । ଏହି ଯୋଜନାର ଲାଭ ଆପଣ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଉଠାଇ ପାରିବେ । ଏହି ଯୋଜନାରେ ନିବେଶ କରିବା ପାଇଁ ସରକାରଙ୍କ ପକ୍ଷରୁ ୫ ଦିନ ସମୟ ଦିଆଯାଇଥିଲା । ଗତ କିଛି ଦିନ ହେବ ସୁନା ଉଚ୍ଚତମ ସ୍ତରକୁ ପହଁଚି ଯାଇଥିଲା, କିନ୍ତୁ ସୋଭେରେନ ଗୋଲ୍ଡ ବଣ୍ଡ ଅନୁଯାୟୀ ଆପଣ ଶସ୍ତାରେ ସୁନା କିଣି ପାରିବେ ।
ଗ୍ରାହକ ଗ୍ରାମ ପ୍ରତି ସୁନା ଦର ୩୮୩୫ ଟଙ୍କାରେ କିଣିପାରିବେ । ଯଦି ଆପଣ ୧୦ ଗ୍ରାମ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଏହାର ଦର ୩୮,୩୫୦ ଆସିବ ଏବଂ ଗୋଲ୍ଡ ବଣ୍ଡର କିଣା ଅନଲାଇନ୍ ଅନୁଯାୟୀ କରାଯାଏ । ତେବେ ସରକାରଙ୍କ ପକ୍ଷରୁ ଏଭଳି ନିବେଶକଙ୍କୁ ପ୍ରତି ଗ୍ରାମରେ ସୁନା ଦର ୫୦ ଟଙ୍କା ଛୁଟ୍ ଦିଆଯାଇଥାଏ । ଏହାର ଅର୍ଥ ଅନଲାଇନ୍ ଯୋଗେ ସୁନା କିଣିବା ଦ୍ୱାରା ନିବେଶକଙ୍କୁ ଗ୍ରାମ ପ୍ରତି ସୁନା ଦର ୩୭୮୫ ଟଙ୍କା ପଡିବ । ସେହି ହିସାବରେ ୧୦ ଗ୍ରାମ ସୁନାକୁ ୩୭୮୫୦ ଟଙ୍କା ପଡିବ ।
ଏହି ଗୋଲ୍ଡ ବଣ୍ଡ ଆପଣ ବ୍ୟାଙ୍କ, ପୋଷ୍ଟାଲ, ଏନଏସଇ ଏବଂ ବିଏସଇ ବ୍ୟତିତ ଷ୍ଟାଫ୍ ହୋଲଡିଂ କର୍ପୋରେଶନ ଅଫ୍ ଇଣ୍ଡିଆ ଜରିଆରେ ବି କିଣିପାରିବେ । ତେବେ ଆସନ୍ତୁ ଜାଣିବା ଏହାଦ୍ୱାରା ଆପଣ କିପରି ଆୟକରରୁ ଛୁଟ୍ ପାଇବେ ।
ଗୋଲ୍ଡ ବଣ୍ଡର ପରିପକ୍ୱତା ଅବଧି ଆଠ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଏହା ଉପରେ ବର୍ଷକୁ ୨.୫ ପ୍ରତିଶତ ସୁଧ ମିଳିଥାଏ । ବଣ୍ଡ ଉପରେ ମିଳୁଥିବା ସୁଧ ନିବେଶକଙ୍କ ଟ୍ୟାକ୍ସ ସ୍ଲାବର ଅନୁରୂପ କର ଯୋଗ୍ୟ ହୋଇଥାଏ । ଯଦି ବଣ୍ଡକୁ ତିନିବର୍ଷ ପରେ ଏବଂ ଆଠ ବର୍ଷର ପରିପକ୍ୱତା ଅବଧି ପୂର୍ବରୁ ବିକ୍ରି କରାଯାଏ ତେବେ ଏହା ଉପରେ ୨୦ ପ୍ରତିଶତ ଦରର ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଟ୍ୟାକ୍ସ ଲାଗିବ, କିନ୍ତୁ ପରିପକ୍ୱତା ଅବଧି ପରେ ବିକ୍ରି କରିବା ଦ୍ୱାରା ମିଳିଥିବା ସୁଧ କରମୁକ୍ତ ହେବ ।
ହୁଏତ ସୋଭେରେନ ଗୋଲ୍ଡ ବଣ୍ଡ ସ୍କିମର ନିବେଶକଙ୍କୁ ଗୋଟେ ଆର୍ଥିକ ବର୍ଷରେ ୫୦୦ ଗ୍ର୍ରାମ ସୁନା କିଣିବାର ଅନୁମତି ରହିଛି । ସେହିପରି ନ୍ୟୁନତମ ନିବେଶ ଏକ ଗ୍ରାମ ହେବା ଆବଶ୍ୟକ ।