ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରବିବାର ପୁଣି ବୃଦ୍ଧି ହୋଇଛି ପେଟ୍ରୋଲ ଓ ଡିଜେଲ ଦର । ଶନିବାର ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ଡିଜେଲ ଦାମ ୮୪ ଟଙ୍କା ଉପରେ ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ପାଖାପାଖି ୧୦୦ ଟଙ୍କରେ ପହଁଚିଛି । ସାର୍ବଜନୀନ କ୍ଷେତ୍ର ଇନ୍ଧନ ଖୁଚୁରା କମ୍ପାନୀଗୁଡିକର ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୭ ପଇସା ଏବଂ ଡିଜେଲ ପିଛା ୨୯ ପଇସା ବୃଦ୍ଧି କରାଯାଇଛି।
ଚଳିତମାସରେ ଦ୍ୱାଦଶ ଥର ପାଇଁ ତୈଳ ଦରରେ ବୃଦ୍ଧି ହୋଇଛି । ଏହା ସହିତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସାରା ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ବୃଦ୍ଧି ସହିତ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୩.୨୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୪.୦୭ ଟଙ୍କା ପହଞ୍ଚିଛି।
ଏହି ମୂଲ୍ୟ ବୃଦ୍ଧି ସହିତ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ଅନେକ ସହରରେ ଏହାର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହୋଇଛି । ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ପାଖାପାଖି ପହଞ୍ଚିଛି। ମୁମ୍ବାଇରେ ବର୍ତ୍ତମାନ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୯.୪୯ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୧.୩୦ ଟଙ୍କା ରେ ପହଞ୍ଚିଛି।