ତାଳଚେର (ଏଟିଆର ବ୍ୟୁରୋ ) ; ଆଜି ତାଳଚେର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘଦିନରୁ ବନ୍ଦ ପଡିଥିବା ସାର କାରଖାନା ହେଲା ପୁଣି କାର୍ଯ୍ୟକ୍ରମ । ଦେଶରେ ସାର ଉତ୍ପାଦନ କ୍ଷେତ୍ରରେ ମୋଦି ସରକାର ବଢାଇଲେ ଆଉ ଗୋଟେ ପାଦ । ୧୩ ହଜାର କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ସାର କାରଖାନା ନିର୍ମିତ ହୋଇଛି । ଏହି ପ୍ଲାଣ୍ଟ ମାଧ୍ୟମରେ କୋଇଲା ଏବଂ ପେଟ୍କୋକ୍ ବ୍ୟବହାର କରି ବାର୍ଷିକ ୧.୨୭ ନିୟୁତ ମେଟ୍ରିକ୍ ଟନ୍ ‘ନିମ୍’ କୋଟେଡ୍ ପ୍ରିଲ୍ଡ ୟୁରିଆ ଉତ୍ପାଦନ ହୋଇପାରିବ ବୋଲି ଜଣାପଡିଛି । ତେବେ ୨୦୨୨ ସୁଦ୍ଧା ଏହି କାରଖାନା ତାର କାର୍ଯ୍ୟ ଆରମ୍ଭ କରିବ । ସେପଟେ ସବୁଠାରୁ ବଡ କଥା ରାଜ୍ୟରେ କୌଣସି ୟୁରିଆ କାରଖାନା ନଥିବାରୁ ଏହି କାରଖାନା ମଧ୍ୟମରେ ଓଡିଶାରେ ବିପୁଳ ପରିମାଣରେ ୟୁରିଆ ମିଳିପାରିବ ।
ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟ ତଥା ଦେଶର କୃଷକମାନଙ୍କ ପାଇଁ ଏକ ଅମୂଲ୍ୟ ରତ୍ନର ଭଣ୍ଡାର ପାଲଟିବ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଏହି କାରଖାନା ମଧ୍ୟମରେ ରାଜ୍ୟରେ ସାଡେ ଚାରି ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ମୋଦି କହିଛନ୍ତି ।
ସେପଟେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଳଚେରରେ ସାର କାରଖାନା କରିବା ଓଡିଶାର ଦିର୍ଘ ଦିନର ଦାବି ଥିବା ଯାହା ଆଜି ପୂରଣ ହୋଇଛି ବୋଲି ସେ କହିଛନ୍ତି । ଓଡିଶା ସାର ପାଇଁ ଅନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦଦେଶ ଉପରେ ନିର୍ଭର କରୁଥିଲା ତେବେ ଆଜି ଏହି କାରଖାନା ଶୁଭାରମ୍ଭ ହେବା ଯୋଗୁ ଓଡିଶାର ଚାଷୀ ବେଶ ଉପକୃତ ହେବେ ବୋଲି ନବୀନ କହିଛନ୍ତି ।