ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଆରବିଆଇର ମୌଦ୍ରିକ ନିତି ସମିତି (ଏମପିସି) ର ସମୀକ୍ଷା ବୈଠକରେ ଲଗାତର ଭାବେ ଚାରି ଥର ରେପୋ ରେଟ ରେ କଟ୍ ହୋଇଛି । ନିଷ୍ପତି ଅନୁଯାୟୀ ରେପୋ ରେଟ୍ କୁ ହ୍ରାସ କରାଯାଇ ୫.୪୦ ପ୍ରତିଶତ କରାଯାଇଛି । ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେପୋ ରେଟ୍ ଏତେ ମାତ୍ରାରେ ହ୍ରାସ ହୋଇଛି । ରେପୋ ରେଟ୍ ରେ ୩୫ ଆଧାର ଅଙ୍କକୁ ଆରବିଆଇ କଟ୍ କରିଛି । ଏହାସହିତ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ୫.୧୫ ପ୍ରତିଶତ କରିଦେଇଛନ୍ତି ।
ଅର୍ଥବ୍ୟବସ୍ଥାରେ ଜାରିଥିବା ଧୀରତାକୁ ଗତି ଦେବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍ ରେ କଟ୍ କରାଯାଇଛି । ଆରବିଆଇର ମୌଦ୍ରିକ ନୀତି ସମିତି ର ବୈଠକ ଅଗଷ୍ଟ ୫ ରେ ଆରମ୍ଭ ହୋଇଯାଇଥିଲା । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ କୁ ଦେଇ ଏହି ବୈଠକ ହୋଇଥିଲା । ମୌଦ୍ରିକ ନିତି ସମିତିର ଚାରି ଜଣ ସଦସ୍ୟ ରେପୋ ରେଟ୍ ରେ ୦.୩୫ ପ୍ରତିଶତ କଟ୍ ପାଇଁ ପକ୍ଷ ରଖିଥିବା ବେଳେ ଅନ୍ୟ ଦୁଇ ସଦସ୍ୟ ୦.୨୫ ପ୍ରତିଶତ କଟ୍ ର ପକ୍ଷ ରଖିଥିଲେ ।
କେବଳ ଏତିକି ନୁହେଁ ଚଳିତ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜିଡିପି ର ଅନୁମାନ ୭ ପ୍ରତିଶତରୁ ହ୍ରାସ କରି ୬.୯ ପ୍ରତିଶତ କରାଯାଇଛି ।
ଆର୍ଥିକ ବୃଦ୍ଧିରେ ସୁଧାର ଆଣିବା ପାଇଁ ଚଳିତ ବର୍ଷ ଫେବୃଆରୀ ଏବଂ ଅପ୍ରିଲରେ ରେପୋ ରେଟ୍ ରେ କଟ୍ କରାଯାଇଥିଲା । ଏହି ରେପୋ ରେଟ୍ ହ୍ରାସ ହେବା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ଫାଇଦା ହେବ । ଏହାଦ୍ୱାରା ଲୋକଙ୍କୁ ଋଣ ଶସ୍ତା ରେ ମିଳିବ । ଏହାବ୍ୟତିତ ଗୃହ ଋଣ ,ଅଟୋ, ଏବଂ ଅନ୍ୟ ପ୍ରକାରର ଋଣର ଇଏମଆଇ କମ ହୋଇଯିବ ।