ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଭାରତ ପାଇଁ ବଢିଛି ତେଲ ଚିନ୍ତା । ତେଲ ରପ୍ତାନିକାରୀ ଦେଶ ମାନଙ୍କ ମଧ୍ୟରେ ଆମେରିକାର ବଢୁଥିବା ତିକ୍ତତା ଭାରତକୁ ତେଲ ସଙ୍କଟରେ ପକାଇବା ନେଇ ଅନୁମାନ କରାଯାଉଛି । ପ୍ରଥମେ ଇରାନ ଓ ଏବେ ସାଉଦି ଆରବ ସହ ସମ୍ପର୍କ ଖରାପ କରୁଛି ଆମେରିକା । ଯାହାର ପ୍ରଭାବ ସିଧାସଳଖ ଭାରତକୁ ଆମଦାନୀ ହେଉଥିବା ତେଲ କାରବାର ଉପରେ ପଡିବ ।
ନିକଟରେ ୱସିଂଟନ ପୋଷ୍ଟ ପାଇଁ କାର୍ଯ୍ୟ କରୁଥିବା କମାଲ ଖାସୋଗି ନାମକ ଜଣେ ସାମ୍ବାଦିକ ନିଖୋଜ ହୋଇଥିବା ଘଟଣାକୁ ନେଇ ଫାୟାର ମୁଡରେ ରହିଛି ଆମେରିକା । ଏହାକୁ ନେଇ ସାଉଦି ଆରବକୁ ଟାର୍ଗେଟ କରିଛି ଆମେରିକା । ସାଉଦି ଆରବର ଶାସନ ମୁଖ୍ୟ ମହମ୍ମଦ ବିନ ସଲମାନ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ମଧ୍ୟରେ ଏକ ପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଆମେରିକାର ସାମ୍ବାଦିକ ଖାସୋଗିଙ୍କୁ ସାଉଦି ଆରବ ସରକାର ଯଦି ହତ୍ୟା କରିଥାଏ ତେବେ ଆରବ ପ୍ରତି ଆମେରିକା କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଖାଲି ସେତିକି ନୁହେଁ ଆରବ ମଧ୍ୟ ଏଭଳି ଧମକର ଜବାବ ରଖିଛି । ଆମେରିକା ଯଦି ତାଙ୍କ ଦେଶ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଆରବ ନିଜ ପକ୍ଷରୁ ମଧ୍ୟ ତାଠାରୁ ବଡ ଧରଣର କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ବୋଲି ସଲମାନ ଧମକ ଦେଇଛନ୍ତି ।
ଏହାମଧ୍ୟରେ ଭାରତ ବଡ ଦ୍ୱନ୍ଦରେ ପଡିଯାଇଛି । ଆରବ ଓ ଆମେରିକା ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଭାରତ ନିଜ ତେଲ ଆମଦାନୀକୁ ନେଇ ସଂଙ୍କଟରେ ପଡିଯାଇଛି । ସାଉଦି ଆରବ ବିଶ୍ୱର ଏକ ପ୍ରମୁଖ ତେଲ ରପ୍ତାନୀକାରୀ ରାଷ୍ଟ୍ର ହୋଇଥିବାରୁ ଏହା ଉପରେ ତେଲ କ୍ରୟ ପାଇଁ ବହୁ ଦେଶ ନିର୍ଭର କରନ୍ତି । ତେବେ ଇରାନ ଠାରୁ ବିଶ୍ୱ ସାମୁଦାୟ ତେଲ କ୍ରୟ ବନ୍ଦ କରିଦେଲେ ଋଷ ଓ ସାଉଦି ଆରବ ମିଶି ଏହି ଅଭାବକୁ ପୂରଣ କରିପାରିବେ ବୋଲି କଥା ଦେଇଥିଲେ ।
ତେବେ ଏପରି ପରିସ୍ଥିତିରେ ଏହି ଆଶା ଆଶାରେ ରହିଯିବ ବୋଲି ଲାଗୁଛି । ଆଗାମୀ ଦିନରେ ଆସୁଥିବା ତେଲ ସଂଙ୍କଟ ରୁ ମୁକ୍ତି ପାଇବା ଲାଗି ଭାରତର ପ୍ରଧାନମନ୍ତ୍ରୀ ଆଜି ଏକ ଉଚ୍ଚସ୍ଥରୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ବଡ ବଡ ତେଲ କମ୍ପାନୀର ସିଇଓଙ୍କ ସହ ଆଲୋଚନା କରିବେ ।