ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁଦ୍ର ବ୍ୟବସାୟୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତି । ବାର୍ଷିକ ୫ କୋଟି ଟଙ୍କା ଏବଂ ତାଠାରୁ କମ୍ ଆୟର ବ୍ୟବସାୟରେ ଆଶ୍ୱସ୍ତି ମିଳିବା ସହ ମାସିକ ଜିଏସଟି ରିଟର୍ଣ୍ଣ ଦାଖଲ କରିବା ପାଇଁ ଅନ୍ତିମ ତାରିଖ ୪ ଦିନ ଆହୁରି ବଢାଇବାକୁ ଘୋଷଣା କରାଯାଇଛି । ସେହି ଅନୁଯାୟୀ ବାର୍ଷିକ ୫ କୋଟି ଟଙ୍କା ବା ତାଠାରୁ ଅଧିକ କାରୋବାର କରୁଥିବା ବ୍ୟବସାୟୀଙ୍କ ପାଇଁ ରିଟର୍ଣ୍ଣ ଫାଇଲିଂ ର ତାରିଖ ପ୍ରତ୍ୟେକ ମାସ ୨୦ ତାରିଖ ରହିବ । ମାତ୍ର ୫ କୋଟିରୁ କମ୍ କାରୋବାର ଉପରେ ସମୟ ସୀମାକୁ ବଢାଇ ଦିଆଯାଇଛି ।
ସେହିଅନୁସାରେ ଯେଉଁ କମ୍ପାନୀଙ୍କ କରୋବାର ୫ କୋଟି କମ୍ ଏବଂ ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ପଞ୍ଜିକୃତ, ସେମାନଙ୍କ ପାଇଁ ଜିଏସଟିଆର-୩ବି ରିଟର୍ଣ୍ଣ କୁ ବିନା ବିଳମ୍ବ ଶୁଳ୍କରେ ୨୨ ତାରିଖରେ ଭରିବାକୁ ହେବ ।
ଅର୍ଥମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି କି, ଏହି ଶ୍ରେଣୀରେ ପାଖାପାଖି୪୯ ଲକ୍ଷ ଜିଏସଟିଆର-୩ବି ଦାଖଲ କରିବାକୁ ଥିବେ । ସେମାନେ ପ୍ରତ୍ୟେକ ମାସ ୨୨ ତାରିଖରେ ଜିଏସଟିଆର-୩ବି ରିଟର୍ଣ୍ଣ ଦାଖଲ କରିବେ ।
ଏହାବ୍ୟତିତ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୪୬ ଲକ୍ଷ କରଦାତା ପ୍ରତ୍ୟେକ ମାସ ୨୪ ତାରିଖରେ ବିନା ବିଳମ୍ବ ଶୁଳ୍କରେ ଜିଏସଟିଆର-୩ବି ଭରିବେ । ଏନେଇ ଆବଶ୍ୟକ ଅଧିସୂଚନା ପରେ ସକ୍ଷମ ଅଧିକାରୀ ଦ୍ୱାରା ଜାରି କରାଯିବ । ଜିଏସଟିଆର-୩ବି ଏବଂ ଅନ୍ୟ ରିଟର୍ଣ୍ଣ ଦାଖଲ କରିବାକୁ ନେଇ କରଦାତା ଯେଉଁ ସବୁ ସମସ୍ୟା ସାମ୍ନା କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।