ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଲାଗିପାରେ ଝଟକା । ଆଜ୍ଞା ହଁ ଚଳିତବର୍ଷ ବଢିପାରେ ଫୋନ୍ ବିଲ୍ । କାରଣ ଟେଲିକମ କମ୍ପାନୀର ଟାରିଫ୍ ପ୍ଲାନ୍ ରେ ୨୫ ରୁ ୩୦ ପ୍ରତିଶତ ଦର ବୃଦ୍ଧି ହେବ ବୋଲି ଜାଣିବାକୁ ମିଳୁଛି । ଏନେଇ ଉଦ୍ୟୋଗର ବିଶ୍ଲେଷକ କହିଛନ୍ତି, ଅନ୍ୟ ଦେଶ ତୁଳନାରେ ଭାରତର ଟେଲିକମ୍ ସୁବିଧା ଉପରେ ସବସ୍କ୍ରାଇବର ଖର୍ଚ୍ଚ କମ୍ । କମ୍ପାନୀର ଆଭରେଜ୍ ରେଭିନ୍ୟୁ ପର ୟୁଜର (ଏଆରପିୟୁ) ଅଧିକ ବୃଦ୍ଧି ହୋଇ ନାହିଁ ।
ଭୋଡାଫୋନ୍ , ଆଇଡିଆ ଏବଂ ଭାରତୀ ଏୟାରଟେଲର ସମଯୋଜିତ ସଫଳ ରାଜସ୍ୱ (ଏଜିଆର) ର ବକେୟା ଟଙ୍କା ଭାବେ ଭରିବାକୁ ରହିଛି । ଅକ୍ଟୋବର ୨୪ ରେ ହାଇକୋର୍ଟ ପକ୍ଷରୁ ଭୋଡାଫୋନ୍ ଏବଂ ଆଇଡିଆକୁ ଏଜିଆରର ବକେୟା ଟଙ୍କା ରୂପେ ୫୩,୦୩୯ ଟଙ୍କା ଭରିବାକୁ ଆଦେଶ ଦିଆଯାଇଥିଲା । ଯାହାର ସମୟସୀମା ୨୩ ଜାନୁଆରୀ ୨୦୨୦ ଥିଲା । ସେଥିପାଇଁ ଏହି ଟେଲିକମ୍ କମ୍ପାନୀ ଗୁଡିକ ନିଜର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଟାରିଫ ପ୍ଲାନ୍ ବୃଦ୍ଧି କରିବେ, ଯାହାଫଳରେ ୟୁଜର୍ସଙ୍କ ମୋବାଇଲ ବିଲ୍ ବୃଦ୍ଧି ହେବ । କେବଳ ଏତିକି ନୁହେଁ ଭୋଡାଫୋନ୍ ଏବଂ ଆଇଡିଆ ବିଜନେସ୍ ରୁ ଆଉଟ୍ ହେବାକୁ ନେଇ ସଂକେତ ମଧ୍ୟ ଦେଇଛନ୍ତି । ଯଦି ଏହି କମ୍ପାନୀ ବନ୍ଦ ହୋଇଯାଏ, ତେବେ ବଜାରରେ ଭାରତୀ ଏୟାରଟେଲ ଏବଂ ରିଲିଆନ୍ସର ଦବଦବା ବଢିବ ।
ଏନେଇ ଆଇଆଇଏଫଏଲ ସିକ୍ୟୁରିଟିଜ୍ ର ନିର୍ଦ୍ଦେଶକ ସଞ୍ଜିବ ଭସୀନ କହିଛନ୍ତି, ରିଲିଆନ୍ସ ଜିଓ ବଜାରକୁୁ ଆସିବା ପୂର୍ବରୁ ଟେଲିକମ କମ୍ପାନୀ ର ଏଆରପିୟୁ ୧୮୦-୨୦୦ ଟଙ୍କା ରହିଥିଲା । ବର୍ତ୍ତମାନ ସମୟରେ ଏହାର ଦର କମ୍ ରହିଛି । ଗତ ତିନି ବର୍ଷ ମଧ୍ୟରେ ଟେଲିମକ୍ ସହ ଜଡିତ ସୁବିଧାରେ ୟୁଜର୍ସଙ୍କ କମ୍ ଖର୍ଚ୍ଚ ହୋଇଛି । ମାତ୍ର ୨୦୨୦ ରେ ଟେଲିକମ୍ କମ୍ପାନୀ ଟାରିଫ ପ୍ଲାନ୍ ରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ।
୩ ବର୍ଷରେ ପ୍ରଥମ ଥର ୨୦୧୯ ଶେଷରେ ଟେଲିକମ କମ୍ପାନୀ ପକ୍ଷରୁ ପ୍ରିପେଡ ଟାରିଫ୍ ପ୍ଲାନ୍ ବୃଦ୍ଧି କରାଯାଇଥିଲା । ଏୟାରଟେଲ, ଭୋଡାଫୋନ୍, ଆଇଡିଆ ଏବଂ ରିଲିଆନ୍ସ ଜିଓ ପକ୍ଷରୁ ୧୪-୩୩ ପ୍ରତିଶତ ଦର ବୃଦ୍ଧି କରାଯାଇଥିଲା, ଯେଉଁଥିରେ ଏହି କମ୍ପାନୀ ଗୁଡିକର ଏଆରପିୟୁ ବର୍ତ୍ତମାନର ୧୨୦ ଟଙ୍କାରୁ ବୃଦ୍ଧି ହୋଇ ୧୬୦ ଟଙ୍କା ହୋଇପାରେ ।