ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ପରେ ଟିଭି ଚ୍ୟାନେଲକୁ ନେଇ ନୂତନ ନିୟମ ଆରମ୍ଭ ହେବାକୁ ଯାଉଛି । ଟେଲିକମ୍ ରେଗୁଲେଟରୀ ଅଥରିଟୀ ଅଫ୍ ଇଣ୍ଡିଆ (ଟ୍ରାଇ) ଦ୍ୱାରା ଫେବୃଆରୀ ୧, ୨୦୧୯ରେ ଏହି ନିୟମ ଲାଗୁ ହେବ । ଏହି ନିୟମ ଅନୁଯାୟୀ ଡିଟିଏଚ୍ ଏବଂ କେବୁଲ ଅପରେଟର ତାଙ୍କର ନିୟମମାନ ଶୁଭାରମ୍ଭ କରିବେ । ଯାହାର ଫାଇଦା ସିଧା ସଳଖ ଗ୍ରାହକ ଉଠାଇ ପାରିବେ ।
ନୂଆ ନିୟମ ଅନୁଯାୟୀ ଆଗଭଳି ଆଉ ବଡ ପ୍ୟାକ୍ ରିଚାର୍ଜ କରିବାକୁ ପଡିବ ନାହିଁ । ଛୋଟ ପ୍ୟାକ୍ ମଧ୍ୟ ଆପଣ ରିଚାର୍ଜ କରିପାରିବେ । ଏହାଦ୍ୱାରା ଟିଭିର ଚ୍ୟାନେଲ ପ୍ୟାକ ନେଉଥିବା ଗ୍ରାହକଙ୍କୁ ଲାଭ ହେବ ।
ଏହି ନୂତନ ନିୟମ ଲାଗୁ କରିବାର ତାରିଖ ପୂର୍ବରୁ ଡିସେମ୍ବର ୨୯, ୨୦୧୮ ଥିଲା କିନ୍ତୁ ଏବେ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇ ଫେବୃଆରୀ ୧, ୨୦୧୯ ରଖାଯାଇଛି । ଡିଟିଏଚ୍ ଏବଂ କେବୁଲ ଅପରେଟରଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଟ୍ରାଇ ପକ୍ଷରୁ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ନୂତନ ନିୟମ ଅନୁଯାୟୀ ଗ୍ରାହକ ଯେଉଁ ଚ୍ୟାନେଲ ଦେଖିବେ କେବଳ ସେହି ଚ୍ୟାନେଲ ପାଇଁ ହିଁ ଟଙ୍କା ଦେବେ । ସେହିପରି ଗ୍ରାହକ ବେସ୍ ପ୍ୟାକ୍ ବ୍ୟବହାର କରିବେ । ଯାହାର ଦର ରହିଛି ୧୩୦ ଟଙ୍କା ଏବଂ ୧୮ ପ୍ରତିଶତ ଜିଏସଟି ଅଲଗା ଦେବାକୁ ପଡିବ । ସେହି ହିସାବରେ ସମ୍ପୂର୍ଣ୍ଣ ବେସ୍ ପ୍ୟାକ୍ ର ଦର ରହିଛି ୧୫୩ ଟଙ୍କା ।
ବେସ୍ ପ୍ୟାକ୍ ରେ ୧୦୦ ଟି ଫ୍ରି ଟୁ ଏୟାର ଚ୍ୟାନେଲ ରହିଛି । ଏହି ୧୦୦ ଟି ଫ୍ରି ଟୁ ଏୟାର ଚ୍ୟାନେଲ ମଧ୍ୟରୁ ଯଦି କୌଣସି ବ୍ୟକ୍ତି ୨୫ଟି ଚ୍ୟାନେଲ ବାଛୁଛନ୍ତି ତେବେ ତାଙ୍କୁ ନେଟୱାର୍କ କାପାସିଟି ଦର ଅନୁଯାୟୀ ୨୦ ଟଙ୍କା ଦେବାକୁ ପଡିବ । ସେହିପରି ୧୫ ଟି ଚ୍ୟାନେଲ ପାଇଁ ପ୍ରତି ଚ୍ୟାନେଲ ପିଛା ଏକ ଟଙ୍କା ଲେଖାଏଁ ଦେବାକୁ ପଡିବ ।
ଉଦାହରଣ ସ୍ୱରୂପ ଯଦି କୌଣସି ବ୍ୟକ୍ତି ୧୧୪ ଟି ଚ୍ୟାନେଲ ବାଛୁଛନ୍ତି ତେବେ ତାଙ୍କୁ ୧୫୩ ଟଙ୍କା ସହିତ ଅଧିକ ୧୪ ଟଙ୍କା ଦେବାକୁ ପଡିବ । ଏହାସହିତ ଯଦି କେହି ୧୧୬ ରୁ ୧୨୫ ଚ୍ୟାନେଲ ବାଛୁଛନ୍ତି ସେଥିପାଇଁ ତାଙ୍କୁ ୧୫୩ ଟଙ୍କା ସହିତ ଅଧିକ ୨୦ ଟଙ୍କା ଦେବାକୁ ପଡିବ ।