ନଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ନେଇ ବିଦେଶ ଭାଗିଯାଇଥିବା ମଦ୍ୟସମ୍ରାଟ ବିଜୟ ମାଲ୍ୟା ରବିବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିବା ପାଇଁ ଲଣ୍ଡନ ପହଁଚିଥିଲେ । ମ୍ୟାଚ୍ ଶେଷ ହେବା ପରେ ମାଲ୍ୟା ଯେତେବେଳେ ଷ୍ଟାଡିୟମରୁ ବାହାରକୁ ବାହାରିଥିଲେ ସେହି ସମୟରେ ଲୋକେ ତାଙ୍କୁ ଘେରି ଯିବା ସହ ଚୋର ଚୋର ବୋଲି ନାରା ଲଗାଇଥିଲେ । ମାଲ୍ୟାଙ୍କ ସହିତ ତାଙ୍କ ମା’ ଲଳିତା ମଧ୍ୟ ଥିଲେ ।
ଏହି ଭିଡ ଭିତରେ ଲୋକେ ମାଲ୍ୟାଙ୍କୁ ବ୍ୟାଙ୍କ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ । ସେପଟେ ମଡିଆକୁ ସାକ୍ଷାତ କରି ମାଲ୍ୟ କହିଛନ୍ତି କି , ‘ମୁଁ କେବଳ ମ୍ୟାଚ୍ ଦେଖିବାକୁ ଆସିଛି । ମୁଁ ଚାହୁଁଛି ମୋ ମା’ଙ୍କୁ ଯେପରି କୌଣସି ପ୍ରକାରର କ୍ଷତି ନପହଁଚୁ ।’
ଗତବର୍ଷ ସେପ୍ଟମ୍ବର ମାସରେ ଭାରତ-ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଓଭାଲରେ ପହଁଚିଥିଲେ ମାଲ୍ୟା । ସେଠାରେ ବି ତାଙ୍କୁ ଚୋର- ଚୋର ନାରାର ସାମ୍ନା କରିବାକୁ ପଡିଥିଲା । ଏହି ସମୟରେ ମାଲ୍ୟା ଭାରତୀୟ କ୍ରିକେଟ ଟିମ୍ ସହିତ ଦେଖା ହେବାକୁ ଚାହୁଁଥିଲେ କିନ୍ତୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନଥିଲା ।
ଗୋଟେପଟେ ମାଲ୍ୟା ଲଣ୍ଡନରେ ଖୁଲମ ଖୁଲା ଭାବେ ବୁଲୁଥିବାର ନଜର ଆସୁଥିବା ବେଳେ ଅନ୍ୟପଟେ ଭାରତୀୟ ଏଜେନ୍ସି ପକ୍ଷରୁ ତାଙ୍କୁ ପ୍ରତ୍ୟର୍ପଣ କରିବାର ଚେଷ୍ଟା ଜାରି ରହିଛି । ମାଲ୍ୟା ମନିଲଣ୍ଡ୍ରିଂ ଏବଂ ଋଣ ଟଙ୍କା ଅନ୍ୟ କାମରେ ଖର୍ଚ୍ଚ କରିବା ବ୍ୟତିତ ୯ ହଜାର କୋଟି ଟଙ୍କା ବ୍ୟାଙ୍କକୁ ଫେରସ୍ତ ନକରିବା ମାମଲାର ସାମ୍ନା କରୁଛନ୍ତି । ବର୍ତ୍ତମାନ ସେ ଲଣ୍ଡନରେ ରହୁଛନ୍ତି ।