ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମେ’ ଡେ ମାନେ ଶ୍ରମିକ ଦିବସ ଅବସରରେ ଆଜି ଲୋକଙ୍କୁ ମହଙ୍ଗାର ଉପହାର ମିଳିଛି । ଆଜିଠାରୁ ରୋଷେଇ ଗ୍ୟାସ ସିଲିଣ୍ଡର ସମେତ ଡାଲି ଏବଂ ସିମେଣ୍ଟର ଦର ବୃଦ୍ଧି ହୋଇଛି । ଏହି ମହଙ୍ଗା ସମସ୍ତ ଶ୍ରେଣୀର ଲୋକଙ୍କୁ ପ୍ରଭାବ ପକାଇବ । ବୃଦ୍ଧି ହୋଇଥିବା ଦର ଅନୁଯାୟୀ ଗ୍ୟାସ୍ ସିଲିଣ୍ଡରର ଦାମ ୧୦ ଟଙ୍କା ବଢିଛି । ସେହିପରି ଡାଲି ୧୦ ଟଙ୍କା ଏବଂ ସିମେଣ୍ଟ ବସ୍ତା ପ୍ରତି ଟଙ୍କା ବଢିଛି ।
ଆଜିଠାରୁ ଘରୋଇ ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଯିବ । ଏବେ ସିଲିଣ୍ଡର ୭୮୦.୫୦ ଟଙ୍କା ବଦଳରେ ୭୯୦ ଟଙ୍କାରେ ମିଳିବ । ପୁରୁଣା ଦର ଅନୁଯାୟୀ ୨୬୦ ଟଙ୍କା ସବସିଡି ଆସୁଥିଲା, ଯାହା ଏବେ ୨୬୮ ଟଙ୍କା ଆସିବ ।
ଗ୍ୟାସ୍ ଏଜେନ୍ସିଙ୍କ କହିବାନୁଯାୟୀ, ଘରୋଇ ଗ୍ୟାସ ସିଲିଣ୍ଡର ସମେତ କମର୍ଶିଆଲ ଗ୍ୟାସ ସିଲିଣ୍ଡର ବି ମହଙ୍ଗା ହୋଇଯାଇଛି । ପୂର୍ବରୁ କମର୍ଶିଆଲ ଗ୍ୟାସ ୧୪୫୨ ଟଙ୍କାରେ ମିଳୁଥିଲା । ମାତ୍ର ଏବେ ଏହା ୧୪୮୦ ଟଙ୍କାରେ ମିଳିବ ।
ସେହିପରି ସିମେଣ୍ଟ ଦର ମଧ୍ୟ ବୃଦ୍ଧି ହୋଇଛି । ଗତ ଏକ ମାସ ଭିତରେ ତିନିଥର ସିମେଣ୍ଟ ଦର ବୃଦ୍ଧି ହେଲାଣି । ସମସ୍ତ କମ୍ପାନୀର ସିମେଣ୍ଟ ଦର ପାଖାପାଖି ୨୦ ଟଙ୍କା ବୃଦ୍ଧି ହୋଇଛି ।
ସବୁଠାରୁ ବଡ କଥା ହେଉଛି ଡାଲି ଦର ବି ବୃଦ୍ଧି ହୋଇଛି । ସମସ୍ତ ପ୍ରକାରର ଡାଲି ଦର ୧୦ ଟଙ୍କା ବୃଦ୍ଧି ହୋଇଛି । ଡାଲି ଉତ୍ପାଦନ କମ୍ ହେବା ସହ ଆୟତ ନିତିରେ ପରିବର୍ତ୍ତନ ହେବାରୁ ଦର ବୃଦ୍ଧି ହୋଇଛି ବୋଲି ଜାଣିବାକୁ ମିଳିଛି ।