ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଫୋନି ସହାୟତା ରାଶି ବଢାଇଲେ କେନ୍ଦ୍ର ସରକାର । ଓଡିଶାକୁ ମିଳିଲା ୩ ହଜାର ୩୩୮ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତି ଶାହା ଏହି ରାଶି ଘୋଷଣା କରିଛନ୍ତି । ପ୍ରଭାବିତ ଅଞ୍ଚଳର ପୁନଃଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଶି ଘୋଷଣା କରାଯାଇଛି । ଗତ ମେ ମାସରେ ବାତ୍ୟା ଫୋନି ଓଡିଶାରେ ତାର ତାଣ୍ଡବ ଦେଖାଇଥିଲା । ଯାହାର ପ୍ରଭାବରେ ଭୁବନେଶ୍ୱର, ପୁରୀ ଓ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ବେଶି ପ୍ରଭାବିତ ହୋଇଥିଲା ।
ସବୁଠାରୁୁ ବେଶି ପ୍ରଭାବିତ ହୋଇଥିଲା ପୁରୀ ଜିଲ୍ଲା । ପୁରୀରେ ସ୍ଥିତି ସାମାନ୍ୟ ହେବା ପାଇଁ ପାଖାପାଖି ଗୋଟିଏ ମାସ ଲାଗି ଯାଇଥିଲା । ସୂଚନାଯୋଗ୍ୟ ବାତ୍ୟା ଫୋନିର ମୁକାବିଲା ପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀ ୩୪୦ କୋଟି ୮୭ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ପରେ ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ସ୍ଥ୍ିତି ଦେଖିବା ପରେ ୧ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ ।
ସେହିଭଳି ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ପୁଣି କେନ୍ଦ୍ର ପକ୍ଷରୁ ୩ ହଜାର ୩୩୮ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । କେନ୍ଦ୍ରର ଏହି ସହାୟତା ରାଶି ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସଂଶା କରିଛନ୍ତି ।