ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି ଲକ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ । ଇତିମଧ୍ୟରେ ଜାତୀୟ ରାଜପଥରୁ ପୁଣି ଥରେ ଏପ୍ରିଲ ୨୦ରୁ ଟୋଲ ଫି ଆଦାୟ କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣକୁ ଟୋଲ ଫି ଆଦାୟକୁ ନେଇ ଅନୁମତି ଦିଆଯାଇଛି ।
ପ୍ରକୃତରେ ଲକ୍ ଡାଉନ୍ ର ପ୍ରଥମ ପର୍ଯ୍ୟାୟ ଶେଷ ହେବାର ପର ଦିନ ମାନେ ଏପ୍ରିଲ ୧୫ ରୁ ରାଜପଥରୁ ଟୋଲ ଫି ଆଦାୟ କରାଯିବାକୁ ନେଇ ନିଷ୍ପତି ହୋଇଥିଲା । କିନ୍ତୁ ଏହାପରେ ପୁନର୍ବାର ଲକ୍ ଡାଉନକୁ ମେ ମାସ ୩ ତାରିଖ ଯାଏଁ ଘୋଷଣା କରାଯାଇଥିଲା । ମାତ୍ର ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ରେ କିଛିଟା କୋହଳ କରାଯିବା ସହ ଆବଶ୍ୟକ ଉଦ୍ୟୋଗ ଗୁଡିକୁ ଏପ୍ରିଲ ୨୦ରୁ ଆରମ୍ଭ କରାଯିବା ପାଇଁ କୁହାଯାଇଛି ।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣକୁ ଗୃହମନ୍ତ୍ରାଳୟ ପକ୍ଷରୁ ଲେଖା ଯାଇଥିବା ଚିଠିରେ କୁହାଯାଇଛି କି, ଟୋଲ ଶୁଳ୍କ ସଂଗ୍ରହ ସରକାରୀ ଖଜଣାରେ ଯୋଗଦାନ କରିଥାଏ ଏବଂ ଏହା ଏନଏଚଏଆଇ କୁ ଆର୍ଥିକ ଶକ୍ତି ପ୍ରଦାନ କରିଥାଏ । ସମସ୍ତ ଟ୍ରକ, ଅନ୍ୟ ବାହନ, ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକ ଲକ୍ ଡାଉନ୍ ପାଇଁ କୋହଳ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଛି କି ଏପ୍ରିଲ ୨୦ ରୁ ପୁଣି ଟୋଲ ଫି ଆଦାୟ କରାଯାଉ ।
ଦେଶରେ କରୋନା ଲକ୍ ଡାଉନ୍ ପାଇଁ ଜାତୀୟ ରାଜପଥରେ ବାହନ ଯାତାୟନ ବନ୍ଦ କରାଯିବା ସହ ଟୋଲ କର୍ମୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ ରୁ ଜାତୀୟ ରାଜପଥର ଟୋଲ ପ୍ଲାଜା ଗୁଡିକ ବନ୍ଦ କରିଦିଆଯାଇଥିଲା ।