ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ଦେଶରେ ଗତ ସେପ୍ଟେମ୍ବର ମାସ ଠାରୁ ନୂଆ ମୋଟର ଯାନ ଆଇନ ଲାଗୁ କରାଯାଇଛି । ମୋଟର ଯାନ ସଂଶୋଧନ ଆଇନ-୨୦୧୯ ଆଧାରେ ସଡକ ନିୟମ ଭାଙ୍ଗୁ ଥିବା ଲୋକ ମାନଙ୍କ ଠାରୁ ମୋଟା ଆକାରରେ ଜରିମାନା ଆଦାୟ କରାଯାଉଛି । ହେଲେ ଏହି ଆଇନ କିଛି ରାଜ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ । କେନ୍ଦ୍ରର ନିୟମକୁ ଅଣଦେଖା କରି ଯେଉଁ ରାଜ୍ୟ ଜରିମାନା ଆଦାୟ କରୁନାହିଁ । ତେବେ ସେହି ରାଜ୍ୟ ଗୁଡିକ ହେଲା ଉତ୍ତରାଖଣ୍ଡ, ଗୁଜୁରାଟ, କର୍ଣ୍ଣାଟକ, ଆସାମ, ଝାରଖଣ୍ଡ, କେରଳ ଓ ମଣିପୁର । ଏହା ସହ ଅନ୍ୟ ସାତଟି ରାଜ୍ୟରେ ମଧ୍ୟ ଏହି ଆଇନ ଲାଗୁ ହୋଇ ନଥିବା ଜଣାପଡିଛି ।
ଗତକାଲି ଏହି ରାଜ୍ୟ ଗୁଡିକୁ କେନ୍ଦ୍ର ପକ୍ଷରୁ ନୋଟିସ ପଠା ଯାଇଛି । ସୁଚନା ଅନୁସାରେ କେନ୍ଦ୍ର ସରକାରଙ୍କ ନିୟମକୁ ଅଣଦେଖା କରି ଜରିମାନା କମ କରିଥିବା ରାଜ୍ୟ ଗୁଡିକରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମଧ୍ୟ ଏହା ସ୍ୱଷ୍ଟ କରିଛନ୍ତି ଯେ, ଯଦି କୌଣସି ରାଜ୍ୟ କେନ୍ଦ୍ରର ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି ତେବେ ସେମାନେ ସମ୍ବିଧାନର ଅନୁଚ୍ଛେଦ ୩୫୬ ଅଧିନକୁ ଆସି ପାରନ୍ତି । ଏହି ଆଧାରରେ ଉକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ପାରେ । ଆଇନ ମନ୍ତ୍ରଣାଳୟ କହିବା ଅନୁସାରେ ମୋଟର ଯାନ ଆଇନ ସଂସଦରେ ଗୃହୀତ ହୋଇ ସାରିଛି । ଏହି ଆଧାରରେ ନିର୍ଦ୍ଧାରିତ ଜରିମାନାକୁ କୌଣସି ରାଜ୍ୟ କମ କରି ପରିବନାହିଁ ।