ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଦ୍ୱିତୀୟ ମହତ୍ୱପୂର୍ଣ୍ଣ ମିଶନ ଚନ୍ଦ୍ରଯାନ-୨ ଚନ୍ଦ୍ରର ଅତି ନିକଟତର ହୋଇଗଲାଣି । ଆଜି ସକାଳ ୮.୫୦ ମିନିଟ୍ ରେ ଲାଣ୍ଡର ବିକ୍ରମ ନିଜ ଭିତରେ ଥିବା ପ୍ରଜ୍ଞାନ ରୋଭରକୁ ନେଇ ସଫଳତା ପୂର୍ବକ ଚନ୍ଦମା ଅଭିମୁଖେ ଚାଲିବା ଆରମ୍ଭ କରିଦେଇଛି । ବର୍ତ୍ତମାନ ଅର୍ବିଟର ଏବଂ ବିକ୍ରମର ସମସ୍ତ ପ୍ରଣାଳୀ ସଠିକ୍ ଭାବେ କାମ କରୁଛି ।
ଚନ୍ଦ୍ରଯାନ-୨ ରୁ ଅଲଗା ହେବା ପରେ ପାଖାପାଖି ୨୦ ଘଣ୍ଟା ଯାଏଁ ବିକ୍ରମ ଲାଣ୍ଡର ତାର ଅର୍ବିଟର କକ୍ଷରେ ହିଁ ପରିକ୍ରମା କରୁଥିଲା, କିନ୍ତୁ ଏବେ ଏହା ଅର୍ବିଟର ବିପରିତ ଦିଗରେ ପରିକ୍ରମା କରିବ । ବୈଜ୍ଞାନିକ ଭାଷାରେ ଏହି ପ୍ରକ୍ରିୟାକୁ ଡିଅର୍ବିଟ ବୋଲି କୁହାଯାଏ ।
ସୂଚନାଯୋଗ୍ୟ, ସୋମବାର ଦିନ ଚନ୍ଦ୍ରଯାନ-୨ ରୁ ସଫଳତା ପୂର୍ବକ ଅଲଗା ହୋଇଥିଲା ବିକ୍ରମ ଲାଣ୍ଡର । ଏହାପରେ ଚନ୍ଦ୍ରମାର ଦକ୍ଷୀଣ ଧୃବରେ ଅବତରଣ କରିବା ପାଇଁ ବିକ୍ରମ ଲାଣ୍ଡର ପ୍ରସ୍ତୁତି ଆରମ୍ଭ କରିଦେଇଛି । କୁହାଯାଉଛି କି ଚନ୍ଦ୍ରମାର ଦକ୍ଷୀଣ ଧୃବରେ ସେପ୍ଟମ୍ବର ୭ ବେଳକୁ ବିକ୍ରମ ଲାଣ୍ଡର ଏଣ୍ଟ୍ରି କରିବ ।
ଇସ୍ରୋ ପକ୍ଷରୁ କୁହାଯାଇଛି କି, ଚନ୍ଦ୍ରଯାନ-୨ ରୁ ଅଲଗା ହେବା ପରେ ବିକ୍ରମ ଲାଣ୍ଡର ଏପର୍ଯ୍ୟନ୍ତ ଚନ୍ଦ୍ରମାର ୧୧୯ କିମି ଗୁଣା ୧୨୭ କିମି କକ୍ଷରେ ପରିକ୍ରମା କରୁଥିଲା । ମଙ୍ଗଳବାର ଦିନ ସକାଳ ୮.୫୦ ଇସ୍ରୋର ବୈଜ୍ଞାନିକମାନେ ବିକ୍ରମକୁ ଚନ୍ଦ୍ରମାର ନିକଟତର କକ୍ଷ ୩୬ ଗୁଣା ୧୦୦ କିମି ରେ ପହଁଚାଇଦେଇଛନ୍ତି ।