ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଥରେ ଆକ୍ରୋଶର ଶିକାର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ଆକ୍ରମଣ କରାଯାଇଛି । ପୂର୍ବରୁ କାଳିମାଡ଼ ଓ ଅଣ୍ଡାମାଡ ପରେ ଆଜି ଅରବିନ୍ଦ କେଜ୍ରିୱାଲଙ୍କୁ ଲଙ୍କାଗୁଣ୍ଡ ମାଡ଼ ହୋଇଥିବା ଜଣାପଡିଛି । ସବୁଠୁ ଗୁରୁପୂର୍ଣ୍ଣ କଥା ହେଉଛି ଅରବିନ୍ଦଙ୍କୁ ଏହି ଆକ୍ରମଣ ଅନ୍ୟ କେଉଁଠି ନୁହେଁ ବରଂ ସଚ୍ଚିବାଳୟ ଭିତରେ ହୋଇଛି ।
ଠିକ ସେତିକି ବେଳେ ଏହି ଘଟଣା ଘଟିଛି ଯେତେବେଳେ କି ଅରବିନ୍ଦ କେଜ୍ରିୱାଲ ଖାଇବା ଲାଗି ସଚ୍ଚିବାଳୟର ୩ୟ ମହଲାରେ ଥିବା ନିଜ ଚ୍ୟାମ୍ବରକୁ ଯାଉଥିଲେ । ଅନିଲ କୁମାର ଶର୍ମା ନାମକ ଜଣେ ବ୍ୟକ୍ତି ଏହି ଲଙ୍କାଗୁଣ୍ଡ ମାଡ଼ କରିଥିବା ସୂଚନା ମିଳିଛି । ପୁଲିସ ଅନିଲଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ମିଳିଥିବା ରିପୋର୍ଟ ଅନୁସାରେ, ଦିନ ଦୁଇଟା ବେଳେ ଅନିଲ ଏକ ସିଗାରେଟ ଖୋଳ ଭିତରେ ଲଙ୍କାଗୁଣ୍ଡ ନେଇ ସଚ୍ଚିବାଳୟକୁ ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ସେ ଅଚାନକ ଲଙ୍କାଗୁଣ୍ଡ କେଜ୍ରିୱାଲଙ୍କ ଉପରକୁ ପକାଇଥିଲେ । ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦଙ୍କ ଚଷମା ଭାଙ୍ଗିଯାଇଥିବା ମଧ୍ୟ ଜଣାପଡିଛି ।
ପୁଲିସ ରିପୋର୍ଟ ଅନୁସାରେ, ଲଙ୍କାଗୁଣ୍ଡ ପକାଇଥିବା ଅନିଲଙ୍କ ଘର ଦିଲ୍ଲୀର ନାରାୟଣନଗରରେ ଓ ତାଙ୍କ ବୟସ ୪୦ । ସେପଟେ ଏହି ଘଟଣା ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ଏକ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛି ଆପ । ଦିଲ୍ଲୀ ପୁଲିସର ଅବହେଳା ଯୋଗୁ ଏହି ଘଟଣା ଘଟିଥିବା ମଧ୍ୟ ଦଳ ଅଭିଯୋଗ କରିଛି ।