ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହିମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମନୋରଞ୍ଜନ ଶିଳ୍ପ । ସିନେମା, ଧାରାବାହିକ ଠାରୁ ଆରମ୍ଭ କରି ମଞ୍ଚ ପର୍ଯ୍ୟନ୍ତ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି । ଏହି ସବୁ କ୍ଷେତ୍ର ଗୁଡିକ କେବେ ପୁଣି ପୂର୍ବବସ୍ଥାକୁ ଫେରିବ ତାକୁ ନେଇ ଏବେ ବି ଅନିଶ୍ଚିତତା ।
ତେବେ ଏହି ଭିତରେ ଏବେ ଆଉ ଏକ ଆଶା ସଞ୍ଚାର ହୋଇଛି । ଆସନ୍ତା ୧ ଅଗଷ୍ଟ ଠାରୁ ସିନେମା ହଲ ଗୁଡିକ ଖୋଲିପାରେ ବୋଲି ଆଶା ପ୍ରକଟ ହୋଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଗଷ୍ଟ ୧ ରୁ ପୁଣି ସିନେମା ହଲ ଖୋଲିବାକୁ ପରାମର୍ଶ ଦେଇଛି । ମନ୍ତ୍ରଣାଳୟର ସଚିବ ଅମିତ ଖରେ ଏହି ସୂଚନା ଦେଇଛନ୍ତି । ସେ ଗୃହ ସଚିବ ଅଜୟ ଭଲ୍ଲାଙ୍କ ସହ ଏନେଇ ଆଲୋଚନା କରିଛନ୍ତି ।
ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହାକୁ ପରୀକ୍ଷାମୂଳକ ଭାବେ ଖୋଲା ଯାଇପାରେ । ତେବେ ଏନେଇ ସ୍ୱତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ ହେବ । ଦର୍ଶକ କିଭଳି ସାମଜିକ ଦୂରତା ରକ୍ଷା ପୂର୍ବକ ଗୋଟିଏ ଧାଡି ଛାଡି ଆଉ ଗୋଟିଏ ଧାଡିରେ ବସିବେ, ସେ ଉପରେ ଦୃଷ୍ଟି ଦିଆଯିବ । ସେପଟେ ୨୫ ପ୍ରତିଶତ ଦର୍ଶକରେ ହଲ ଖୋଲିବା ଅପେକ୍ଷା ବନ୍ଦ ରହିବା ଭଲ ବୋଲି ହଲ ମାଲିକ ମାନେ ମତ ରଖୁଛନ୍ତି ।