ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସାମରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଫଳରେ ଚାଲିଗଲା ୪ଜଣଙ୍କର ଜୀବନ । ଦେଶରେ ନାଗରିକତା ବିଲକୁ ନେଇ ବିରୋଧ ଚାଲିଥିବା ବେଳେ ଆସାମରେ ଏହାକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି । ତେବେ ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ ପକ୍ଷରୁ ନିଆଯାଇଥିବା କାର୍ଯ୍ୟନୁଷ୍ଠାନ ଫଳରେ ୪ଜଣ ଲୋକଙ୍କ ମୁତ୍ୟୁ ଘଟିଛି ।
ଏହି ସମସ୍ତ ମାମଲାରେ ଆସାମ ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି କହିଛନ୍ତି, ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ଦୁର୍ଭାଗ୍ୟବଶତଃ ୪ଜଣଙ୍କର ମୃତ୍ୟୁ ଘଟିଛି । ଆନ୍ଦୋଳନକାରୀମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ଆଇନକୁ ନିଜ ହାତକୁ ନେଲେ ଯାହାଫଳରେ ଅବସ୍ଥା ଅସମ୍ଭାଳ ହେବାରୁ ପୋଲିସ ଲୁହାବୁହା ଗ୍ୟାସ ଫାଇରିଂ କରିବାକୁ ବାଧ୍ୟ ହୋଇଥିଲା । ସେ ଆହୁରୀ ମଧ୍ୟ କହିଛନ୍ତି, ବିରୋଧ ପ୍ରଦର୍ଶନ ସମୟରେ ୧୯୦ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯିବା ସହ ୧୩୬ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । କିନ୍ତୁ ବର୍ତ୍ତମାନ ଅବସ୍ଥା ସ୍ୱାଭାବିକ ସ୍ତରକୁ ପହଞ୍ଚିଛି ।
ଅନ୍ୟପଟେ ନାଗରୀକ ସଂଶୋଧନ ବିଲ୍ କୁ ନେଇ ହେଉଥିବା ବିରୋଧକୁ ଦେଖି ଗୌହାଟୀରେ ଡିସେମ୍ବର ୧୧ରୁ କର୍ଫ୍ୟୁ ଜାରି କରାଯାଇଥିଲା । ଯାହା କି ଆଜି ସଂନ୍ଧ୍ୟା ୬ଟାରୁ ଉଚ୍ଛେଦ କରାଯିବ । ତେବେ ବିରୋଧ ସମୟରେ ଯେଉଁସବୁ ଲୋକ ଆନ୍ଦୋଳନ କରୁଥିଲେ ସେମାନେ ସାଧାରଣ ପ୍ରଦର୍ଶନକାରୀ ନଥିଲେ । ବରଂ ସମସ୍ତ ହିଂସାକାଣ୍ଡରେ ଲିପ୍ତ ଥିଲେ । ତେଣୁ ସମସ୍ତକୁ ଗିରଫ କରାଯାଇଛି । ଅନ୍ୟପଟେ ରାଜ୍ୟରେ ଅସ୍ଥିରତା ବଢୁଛି । ତେବେ ରାଜ୍ୟର କିଛି ଅଞ୍ଚଳରେ ସେନା ମୁତୟନ କରାଯାଇଛି । ଏବଂ ଆଜିଠାରୁ କର୍ଫ୍ୟୁକୁ ମଧ୍ୟ କୋହଳ କରାଯିବ ବୋଲି ଆସାମର ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଛନ୍ତି ।