ଦ୍ୱାରିକା (ଏଟିଆର ବ୍ୟୁରୋ): ନାଗରିକତା ବିଲ ଉଭୟ ରାଜ୍ୟସଭା ଓ ଲୋକସଭାରେ ଆଗତ ହେବା ଦିନ ଠାରୁ ପୂରା ଦେଶରେ ଏହାର ବିରୋଧରେ ବ୍ୟାପକ ହିଂସା ଓ ଉତ୍ତେଜନା ଦେଖିବାକୁ ମିଳୁଛି । ବହୁ ରାଜନୈତିକ ଦଳ ଏହି ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କୁ ଭେଟି ଏହି ମାମଲାରେ ହସ୍ତକ୍ଷପ କାରିବାକୁ ମଧ୍ୟ ଆବେଦନ କରିଛନ୍ତି । ଆସାମର ବହୁ ସ୍ଥାନରେ କର୍ଫ୍ୟୁ ଲାଗିବା ସହ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ୍ ଫୋରସ ମୁତୟନ କରାଯାଇଥିବା ଦେଖିବାକୁ ମିଳୁଛି । ହେଲେ ଏହିଭଳି ସମୟରେ ପାକିସ୍ତାନରୁ ଆସିଥିବା ଜଣେ ମୁସଲମାନ ମହିଳାଙ୍କ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ପାକିସ୍ତାନରୁ ଆସିଥିବା ଏହି ମହିଳାଙ୍କର ନା’ ହସୀନା ବେନ ।
ସେ ଭାରତୀୟ ନାଗରିକତା ପାଇବା ପାଇଁ ଆବେଦନ କରିଥିଲେ । ଭାରତୀୟ ନାଗରିକତା ପାଇଁ ଦୁଇ ବର୍ଷ ତଳେ ଆବେଦନ କରିଥିବା ହସୀନା ବେନଙ୍କୁ ଏବେ ଯାଇ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି । ସୂଚନାନୁଯାୟୀ, ହସୀନା ବେନ ଜଣେ ଭାରତୀୟ ଅଟନ୍ତି । କିନ୍ତୁ ୧୯୯୯ରେ ସେ ଜଣେ ପାକିସ୍ତାନୀ ଯୁବକଙ୍କୁ ବିବାହ କରି ପାକିସ୍ତାନ ଚାଲି ଯାଇଥିଲେ । ହେଲେ କିଛି ଦିନ ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା । ଯାହାଫଳରେ ପରମର୍ତ୍ତୀ ମୁହୁର୍ତ୍ତରେ ହସୀନା ବେନ ଭାରତ ଫେରି ଆସିଥିଲେ । ତେବେ ଦୁଇ ବର୍ଷ ପୂର୍ବେ ହସୀନା ବେନ ଭାରତର ନାଗରିକତା ପାଇବା ପାଇଁ ଆବେଦନ କରିଥିଲେ । ଯାହାକୁ ସ୍ୱୀକୃତ୍ତି ପ୍ରଦାନ କରି ଭାରତ ସରକାରଙ୍କ ଦ୍ୱାରା ଏବେ ତାଙ୍କୁ ନାଗରିକତା ପ୍ରଦାନ କରାଯାଇଛି । ଗୁଜରାଟର ଦ୍ୱାରକା ଜିଲ୍ଲାପାଳଙ୍କୁ ହସୀନା ବେନ ଭାରତୀୟ ନାଗରିକତା ପାଇଁ ଚିଠି ଲେଖିଥିଲେ । ତେବେ ହସୀନା ବେନଙ୍କୁ ଦ୍ୱାରକା ଜିଲ୍ଲା ଡା. ନରେନ୍ଦ୍ର କୁମାର ମୀଣା ଭାରତୀୟ ନାଗରିକତା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ।