ଗୁଜୁରାଟ (ଏଟିଆର ବ୍ୟୁରୋ ) ; ଲାଞ୍ଚ ପାଇଁ ବନ୍ଧାହେଲେ କଂଗ୍ରେସ ବିଧାୟକ । ଗୁଜୁରାଟର ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ଏଥିରେ ସିଧାସଳଖ ଜଣେ କଂଗ୍ରେସ ବିଧାୟକଙ୍କ ସମ୍ପୃକ୍ତି ଥିବା ଲୋକଲୋଚନକୁ ଆସିଛି । ବିଧାୟକ ଜଣକଙ୍କର ନାମ ପରଶୋତ୍ତମ ସବରିୟା ବୋଲି ଜଣାପଡିଛି । ତେବେ ବିଧାୟକଙ୍କୁ ଛାଡି ଏଥିରେ ଆଉ ୩ ଜଣ ସାମିଲ ଥିବା ଖବର ମଧ୍ୟ ପଦାକୁ ଆସିଛି । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଭାରତ ଗଣେଷ , ଜଣେ ସରକାରୀ ଯନ୍ତ୍ରୀ ଓ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ରହିଛନ୍ତି । ଏ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ମୋରବୀ ପୋଲିସ ଗିରଫ କରିଛି ।
ଖବର ଅନୁସାରେ , ଜଳସେଚନ ବିଭାଗ ମଞ୍ଜୁରୀ ଦେଇଥିବା ୨୦ କୋଟିର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । କେତେକ ସ୍ଥାନରେ କାମ କରାନଯାଇ ଟଙ୍କା ହଡପ ହୋଇଥିଲା ଅଭିଯୋଗ ସାମ୍ନାକୁ ଆସିଥିଲା । ଏନେଇ ତଦନ୍ତ ଚାଲୁଥିବାବେଳେ ଏଥିରେ ବିଧାୟକ ପରଶୋତ୍ତମ ସବରିୟା ଙ୍କ ସମେତ ଆଇନଜୀବୀ ଭାରତ ଗଣେଷ , ଜଣେ ସରକାରୀ ଯନ୍ତ୍ରୀ ଓ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମ୍ପୃକ୍ତିଥିବା ପୋଲିସକୁ ଜଣାପଡିଥିଲା । ସେମାନେ ଜଳସେଚନ ବିଭାଗର ଜଣେ ଯନ୍ତ୍ରୀଙ୍କୁ ୬୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଲାଞ୍ଚ ବାବଦକୁ ୩୫ ଲକ୍ଷ ଜବାବ ହୋଇଥିଲା । ତେବେ ଏ ସମସ୍ତଙ୍କୁ ପୋଲିସ ଗିରଫ କରି ଦୁର୍ନୀତି ସଙ୍କ୍ରାନ୍ତରେ ପଚରାଉଚରା ଚଳାଇଛି ।
ଅନ୍ୟପଟେ ମୋରବୀ ପୋଲିସ କହିଛି ଯେ ଘଟଣାର ସତ୍ୟାସତ୍ୟ ଅତିଶିଘ୍ର ପଦାକୁ ଆସିବ । ଏଥିରେ ଅନ୍ୟ କେହି ସାମିଲ ଥିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ । ତେବେ କଂଗ୍ରେସ ବିଧାୟକଙ୍କ ଗିରଫ ପରେ ରାଜ୍ୟ ରାଜନୀତିରେ ତୁ ତୁ ମେ ମେ ଆରମ୍ଭ ହୋଇଛି । ଶାସକ ଦଳ ବିଜେପି ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଛି । ସେପଟେ କଂଗ୍ରେସ ନିଜ ପ୍ରତିକ୍ରିୟାରେ ସଫେଇ ମଧ୍ୟ ଦେଇଛି ।