ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଉ ମିଛରେ ମହିଳା ଆଣିପାରିବେ ନାହିଁ ପୁରୁଷଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । ବିବାହ ହୋଇ ପାରିବ ନାହିଁ ଜାଣି ସୁଦ୍ଧା ଅଧିକ ସମୟ ଧରି ମହିଳାଙ୍କ ସହିତ ଲିଭଇନ ରିଲେସନସିପରେ ରହିବା ପରେ ପୁରୁଷଙ୍କ ନାମରେ ଆଉ ସମ୍ପୃକ୍ତ ମହିଳା ଦୁଷ୍କର୍ମ ଅଭିଯୋଗ ଆଣି ପାରିବେ ନାହିଁ । ଏବେ ଏମିତି ଏକ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଇନ୍ଦ୍ରା ବନାର୍ଜିଙ୍କ ଗଠିତ ଏକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି ।
ଅଦାଲତ ଏହି ଫୈସଲାରେ ଉଲ୍ଲେଖ କରିଛନ୍ତି ଯଦି ଜଣେ ମହିଳା ଜାଣିଛନ୍ତି ସେ ରହୁଥିବା ପୁରୁଷଙ୍କ ସହିତ ତାଙ୍କର ବିବାହ ହୋଇ ପାରିବ ନାହିଁ । ହେଲେ ସେ ଏହା ପରେ ମଧ୍ୟ ସେହି ପୁରୁଷଙ୍କ ସହିତ ସମ୍ପର୍କରେ ରୁହନ୍ତି ତେବେ ପଛରେ ଆଉ ସମ୍ପୃକ୍ତ ମହିଳା ପୁରୁଷଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣି ପାରିବେ ନାହିଁ ।
ସୂଚନାଯୋଗ୍ୟ ଏକ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ସିଆରପିଏଫର ଜଣେ କମାଣ୍ଡରଙ୍କ ବିରୁଦ୍ଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମାତ୍ର ମହିଳା ଜଣଙ୍କ ୬ ବର୍ଷ ହେଲା ଲିଭ ଇନ ରିଲେସନସିପରେ ରହି ଆସୁଥିଲେ । ଗୋଟିଏ ଘରେ ୬ ବର୍ଷ ହେଲା ରହି ଆସୁଥିଲେ । ଯାହାର ପ୍ରମାଣ କୋର୍ଟରେ ରହିଥିଲା । ଏହି ମାମଲାର ଶୁଣାଣୀ କରି ସୁପ୍ରିମ କୋର୍ଟ ଏମିତି ଏକ ରାୟ ଦେଇଛନ୍ତି ।