ଉତ୍ତରାଖଣ୍ଡ (ଏଟିଆର ବ୍ୟୁରୋ ) ; ବରଫ ଚାଦର ତଳେ ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିର । ତାପମାତ୍ରା କମିବା କାରଣରୁ କେଦାରନାଥଙ୍କ ମନ୍ଦିର ସମେତ ସ୍ଥାନୀୟ ପାହାଡୀ ଅଞ୍ଚଳରେ ବରଫ ଜମିରହିଛି । ତେବେ ବରଫାବୃତ ମନ୍ଦିର ସମେତ ଆଖପାଖ ଦୃଶ୍ୟର ମଜା ନେବାକୁ ଭୁଲିନାହାନ୍ତି ପର୍ଯ୍ୟଟକ । ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ରସ୍ଥ ଥିବାରୁ ଏବେ ପ୍ରଶାସନ ମନ୍ଦିର ପାଶ୍ୱର୍ରୁ ବରଫ ହଟାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ।
ଏବେ କେଦାରନାଥ ମନ୍ଦିର ପରିସରରେ ବରଫର ମୋଟା ଆସ୍ତରଣ ପଡିରହିଛି । ପର୍ଯ୍ୟଟକ ମାନଙ୍କ ଯିବାଆସିବା ପାଇଁ ଥିବା ରାସ୍ତା ଉପରେ ମଧ୍ୟ ବରଫ ପଡିରହିଛି । ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ହିମାଚଳପ୍ରଦେଶ , ଜାମ୍ମୁ କାଶ୍ମୀର ତଥା ଉତ୍ତରାଖଣ୍ଡରେ ମଧ୍ୟ ପ୍ରତିଦିନ ତୁଷାରପାତ ହେଉଛି । ବିଶେଷକରି କେଦାରନାଥଙ୍କ ମନ୍ଦିର ଓ ଏହାର ଆଖପାଖ ପାର୍ବତ୍ୟାଞ୍ଚଳରେ ବରଫର ଧଳା ଚାଦର ପଡିରହିଛି । ବରଫ ଆସ୍ତରଣ ଯୋଗୁ ରାସ୍ତା ମଧ୍ୟ ଭଲଭାବେ ଦେଖାଯାଉନାହିଁ ।
ସେପଟେ ଦୀର୍ଘ ୯ ବର୍ଷ ପରେ କେଦାରନାଥ ଅଞ୍ଚଳରେ ତୁଷାରପାତ ହୋଇଛି । ମନ୍ଦିର ଉପରେ ମଧ୍ୟ ବରଫର ଆସ୍ତରଣ ଜମିରହିଛି । ତଥାପି ପର୍ଯ୍ୟଟକମାନେ ଏଭଳି ଦୃଶ୍ୟକୁ ବେଶ ଉପଭୋଗ କରୁଥିବାର ଦେଖାଯାଇଛି । ସେପଟେ ଆଉ ଏକ ବିଶ୍ୱପ୍ରସିଦ୍ଧ ବାବା ବଦ୍ରିନାଥଙ୍କ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ବରଫ କୁଢ ହୋଇଛି ।
ତେବେ ବଦ୍ରିନାଥଙ୍କ ଦର୍ଶନପାଇଁ ଯାଇଥିବା ୪୨ ଜଣ ଓଡିଆ ଅଧାବାଟରେ ଫସିରହିଥିଲେ । ଏହାପରେ ଓଡିଶା ସରକାରଙ୍କ ତରଫରୁ ଉତ୍ତରାଖଣ୍ଡ ସରକାରଙ୍କୁ ସହାୟତା ଲୋଡା ଯାଇଥିଲା ଏବଂ ପରେ ସମସ୍ତ ଓଡିଆ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତେବେ ବରଫ କମିବାରୁ ରାସ୍ତା ମଧ୍ୟରୁ ପ୍ରଶାସନ ବରଫ ହଟାଇବା କାର୍ଯ୍ୟ ତ୍ୱରାନ୍ୱିତ କରିଛି ।