ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଇତିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ପ୍ରଥମ ଥର କରୋନା ସଂକ୍ରମିତ ରୋଗୀଙ୍କ ବୟସ ତାଲିକା ଜାରି କରାଯାଇଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ ଭାରତର ୮୦ ପ୍ରତିଶତ କରୋନା ରୋଗୀଙ୍କ ବୟସ ୬୦ ବର୍ଷରୁ କମ୍ । ପୂର୍ବରୁ ଯାହା ଅନୁମାନ କରାଯାଉଥିଲା କି ଏହି ରୋଗ ବେଶୀ ବୃଦ୍ଧ ବା ବୃଦ୍ଧାଙ୍କୁ ହେଉଛି, କିନ୍ତୁ ଏହି ରିପୋର୍ଟରୁ ଜାଣିବାକୁ ମିଳିଲା ଯେ ଏହା ସମ୍ପୂର୍ଣ୍ଣ ଭୁଲ୍ । ପ୍ରକୃତରେ ୨୧ ବର୍ଷ ବୟସରୁ ୬୦ ବର୍ଷ ମଧ୍ୟରେ ଅଧିକ କରୋନା ଆକ୍ରାନ୍ତ ଦେଖିବାକୁ ମିଳିଛି ।
ଏନେଇ ବିଶେଷଜ୍ଞ କହିଛନ୍ତି କି, ଏହାର ଏକ ବଡ ଫାଇଦା ହୋଇପାରେ । ଆମ ଦେଶରେ କରୋନା ପାଇଁ ମୃତ୍ୟୁଦର ଅପେକ୍ଷାକୃତ କମ ହୋଇପାରେ । ଜର୍ମାନୀ ଏବଂ ଇଟାଲୀର ଉଦାହରଣ ଦେଇ ବିଶେଷଜ୍ଞ କହିଛନ୍ତି, ଇଟାଲୀରେ ୫୬ ପ୍ରତିଶତ ରୋଗୀଙ୍କ ବୟସ ୬୦ ବର୍ଷ ବୟସରୁ ଅଧିକ । ଏପର୍ଯ୍ୟନ୍ତ ଏଠାରେ ୧,୧୯,୮୨୭ ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ୧୪,୬୮୧ ମାମଲାରେ ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି । ସେହିପରି ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧,୧୫୯ । ସେଠାରେ ୮୨ ପ୍ରତିଶତ ରୋଗୀ ୬୦ ବର୍ଷରୁ କମ ବୟସର ଅଟନ୍ତି । ଏହାସହିତ ସେଠି ମୃତକଙ୍କ ସଂଖ୍ୟା ୧୨୭୫ । ଯାହା ଇଟାଲିରୁ ବହୁତ କମ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟାକୁ ଦୃଷ୍ଟିରେ ରଖି ପବ୍ଲିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଅନନ୍ତ ଭାନ କହିଛନ୍ତି କି, ଯଦି କରୋନା ସଂକ୍ରମିତ ରୋଗୀଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ତେବେ ମୃତ୍ୟୁ ସଂଖ୍ୟା ବଢିବ, କିନ୍ତୁ ଯଦି ରୋଗୀଙ୍କ ବୟସ ୬୦ ରୁ କମ ହେବ ତେବେ ଅପେକ୍ଷାକୃତ କମ ମୃତ୍ୟୁ ସଂଖ୍ୟା ଦେଖିବାକୁ ମିଳିବ । ଏହାର କାରଣ ହେଉଛି କମ ବୟସର ବ୍ୟକ୍ତିଙ୍କ ପାଖରେ ରୋଗ ପ୍ରତିରୋଧକ କ୍ଷମତା ଅଧିକ । ଏହାସହିତ ସେ ଆହୁରୀ ମଧ୍ୟ କହିଛନ୍ତି କି ଦେଶ କିମ୍ବା ଦେଶ ବାହାରେ କମ ବୟସର ରୋଗୀଙ୍କ ବି ମୃତ୍ୟୁ ହୋଇଛି । ସେଥିପାଇଁ ଯୁବା ହୁଅନ୍ତୁ ଅବା ବୃଦ୍ଧ । ଉଭୟେ କରୋନାରୁ ରକ୍ଷା ପାଇଁ ସତର୍କ ରହିବା ଉଚିତ୍ ।