ପୁରୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା ଘାରିଛି । ଏହି ମହାମାରୀ ଏବେ ସାରା ବିଶ୍ୱବାସୀଙ୍କୁ ଅତିଷ୍ଠ କରି ପକାଉଛି । ତେବେ ଗତକାଲି ରାଜ୍ୟ ସରକାର ଏହି ମହାମାରୀକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ଆଜି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟରେ ହେବାକୁ ଥିବା ବଡବଡ ଉତ୍ସବ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତେବେ ଆଜି ପୁରୀରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ ବିଦେଶରୁ ଆସିଥିବା ବ୍ୟକ୍ତି ଜଣଙ୍କ ଠାରେ ଥଣ୍ଡା ଓ କାଶ ଲାଗି ରହିଥିଲା । ତେବେ ତାଙ୍କୁ ଗତକାଲି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପରେ ତାଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ନିକଟରେ କରୋନା ଭାଇରସ ଲକ୍ଷଣ ଦେଖା ଯିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ତାଙ୍କୁ ବଡ ମେଡିକାଲ ଆଇସୋଲେନ ୱାର୍ଡରେ ରଖାଯିବ । ତେବେ ସନ୍ଦିଗ୍ଧ ଜଣଙ୍କ ଜଣେ ଶିଶୁ । ପିଲାଟିର ପରିବାର ବିଦେଶୀ । ଉକ୍ତ ପରିବାର ଗତ ୨ ସପ୍ତାହ ତଳେ ଭାରତ ଭ୍ରମଣରେ ଆସିଥିଲେ । ସେମାନେ ପୁରୀର ଏକ ହେଟେଲରେ ରହୁଥିଲେ । ଗତ ୪ ଦିନ ତଳେ ପିଲାଟିକୁ ଜ୍ୱର ଥଣ୍ଡା ହୋଇଥିଲା । ମାତ୍ର ତାହା ଛାଡି ନଥିଲା । ଯାହାଫଳରେ ପିଲାଟିକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ଲକ୍ଷଣ ଦେଖା ଯିବାରୁ ପ୍ରଥମେ ପୁରୀ ଜିଲ୍ଲା ମେଡିକାଲ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।