ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଶେଷରେ ଆଇନର ଗଳାବାଟ ଦେଇ ଫାଶୀ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି ନିର୍ଭୟା ଅଭିଯୁକ୍ତ । ଜଣଙ୍କ ପରେ ଜଣେ ଆଇନର ଥିବା ବ୍ୟବସ୍ଥାର ସୁଯୋଗ ନେଇ ତାରିଖ ପରେ ତାରିଖ ଗଡେଇ ଚାଲିଛନ୍ତି । ତେବେ ଏସବୁ ଭିତରେ ଏବେ ଗୋଟିଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି କେବେ ମିଳିବ ନିର୍ଭୟାକୁ ନ୍ୟାୟ? କେବଳ ତାରିଖ ଘୁଞ୍ଚିଲା ନାଁ ଫାଶୀକୁ ଟାଳି ଦେଲେ ଅଭିଯୁକ୍ତ! କାରଣ ଆଜି ପଟିଆଲା କୋର୍ଟ ଫାଶୀ ଉପରେ ରୋକ ଲଗାଇଛନ୍ତି । ମାତ୍ର କେବେ ଏହି ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ସେନେଇ ତାରିଖ ଘୋଷଣା କରି ନାହାନ୍ତି ।
ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଆଜି ଅଭିଯୁକ୍ତ ବିନୟ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ କୋର୍ଟରେ ଆବେଦନ କରିଥିଲା । ସେ ଦର୍ଶାଇଥିଲା କି ଏବେ ମଧ୍ୟ ତା ପାଖରେ ରାଜକ୍ଷମା ଆବେଦନ କରିବା ପାଇଁ ବିକଳ୍ପ ବାକି ରହିଛି । ତେବେ ଏହି ଆବେଦନ ପରେ ଆଜି ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇଛନ୍ତି । ସେପଟେ ଏହାକୁ ନେଇ ସରକାରୀ ଓକିଲ କହିଥିଲେ ବିନୟ ରାଜକ୍ଷମା ଆବେଦନ କରିଛି । ମାତ୍ର ଅନ୍ୟ ତିନିଜଣଙ୍କୁ ନିର୍ଦ୍ଦାରିତ ତାରିଖରେ ଫାଶୀ ଦିଆଯାଉ । ମାମଲା ଲଢୁଥିବା ଓକିଲ କହିଥିଲେ ଯେଉଁ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କ ବିକଳ୍ପ ଶେଷ ନ ହୋଇଛି ସେ ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ସମାନ ମାମଲାରେ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ନାହିଁ