ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଛି । ଏହା ଥମିବାର ନା ଧରୁନି । ଛୋଟ ଛୁଆଠାରୁ ଆରମ୍ଭ କରି ବୃଦ୍ଧା ମହିଳା ପର୍ଯ୍ୟନ୍ତ ସମସ୍ତେ ଏଠି ଅସୁରକ୍ଷିତ । ଏଇ ନିକଟରେ ହାଇଦ୍ରାବାଦରେ ପ୍ରିୟଙ୍କା ରେଡ୍ଡୀଙ୍କ ସହ ଗଣ ଦୁଷ୍କର୍ମ ମାମଲା ଯୋଗୁଁ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଗତକାଲି ଶ୍ରୀକ୍ଷେତ୍ର ପୁରୀରେ ଆଉ ଏକ ଘଟଣା ଓଡିଶାକୁ ଦୋହଲାଇ ଦେଇଛି । ଠିକ୍ ସେମିତି ଏବେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ଚକିତ କରିଦେବ । ଏଠି ଦୁଷ୍କର୍ମର ଶିକାର କୌଣସି ନାବାଳିକା କି ଯୁବତୀ ହୋଇ ନାହାନ୍ତି ବରଂ ଜଣେ ୭୦ ବର୍ଷିୟା ବୃଦ୍ଧା । ଆଜ୍ଞା ହଁ ଉତ୍ତର ପ୍ରଦେଶର ସୋନଭଦ୍ର ରେ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କ ସହ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ବୃଦ୍ଧା ଜଣଙ୍କ ଘରେ ଥିବା ସମୟରେ ଅଭିଯୁକ୍ତ ତାଙ୍କ ଘରେ ପସି ଦୁଷ୍କର୍ମ କରି ଫେରାର ହୋଇଛନ୍ତି ।
ସୂଚନାଯୋଗ୍ୟ ସୋନଭଦ୍ରର ଅନପରା ଥାନା ଅର୍ନ୍ତଗତ କୁଲଡୋମରୀ ଗାଁରେ ରହୁଥିବା ବୃଦ୍ଧା ମହିଳାଙ୍କ ଘରେ ରାମ କିଶାନ ନାମକ ଜଣେ ବ୍ୟକ୍ତି ଜବରଦସ୍ତ ପସିବା ସହ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଥିଲେ । ଏହାପରେ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିବାରୁ ତାଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଏନେଇ ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।