ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ହନିଟ୍ରାପ ଜାଲରେ ଡିଆରଡିଓର ଇଞ୍ଜିନିୟର । ଆଇଏସଆଇର ଦୁଇ ମହିଳା ଏଜେଣ୍ଟଙ୍କ ମାୟାରେ ପାଗଳ ହେଲେ ଡିଆରଡିଓର ଇଞ୍ଜିନିୟର । ଫେସବୁକ ଚାଟିଂରେ ପ୍ରତିରକ୍ଷା କ୍ଷେତ୍ରର ବହୁ ଗୁପ୍ତ ତଥ୍ୟ ବଖାଣି ପକେଇଲେ ଏହି ଇଞ୍ଜିନିୟର । ପାକିସ୍ତାନକୁ ବହୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ ହେଲେ ଡିଆରଡିଓର ବହ୍ମୋସ ୟୁନିଟରେ କାର୍ଯ୍ୟରତ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲ ।
ମହାରାଷ୍ଟ୍ରର ନାଗପୁରରେ ଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ର ୟୁନିଟରେ ଇଞ୍ଜିନିୟର ଭାବେ କାମ କରୁଥିଲେ ନିଶାନ୍ତ । ଦୁଇ ଜଣ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସହ ସମ୍ପର୍କ ରଖି ଭାରତର ପ୍ରତିରକ୍ଷା କ୍ଷେତ୍ରର ବହୁ ଗୁପ୍ତ କଥା ହସ୍ତାନ୍ତର ଅଭିଯୋଗରେ ଏସଟିଏସ ଓ ସେନା ଗୁଇନ୍ଦା ବିଭାଗ ନିଶାନ୍ତକୁ ଗିରଫ କରିଛି । ନିଶାନ୍ତ କମ୍ପ୍ୟୁଟରରୁ ପାକିସ୍ତାନର ଆଇପି ଆଡ୍ରେସ ଥିବା ଫେସବୁକ ଆଇଡିରୁ ଏଭଳି ପ୍ରମାଣ ମିଳିଥିବା ଏସଟିଏସ ଆଇଜି ଅସୀମ ଅରୁଣ ସୂଚନା ଦେଇଛନ୍ତି ।
ବିଶେଷ କରି ବ୍ରହ୍ମୋସ କ୍ଷେପଣାସ୍ତ୍ର ସମ୍ପର୍କିତ ବିଭିନ୍ନ ତଥ୍ୟ ପାକିସ୍ତାନକୁ ହସ୍ତାନ୍ତର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସେପଟେ ନିଶାନ୍ତ ଗତ ଚାରି ବର୍ଷ ହେବ ନାଗପୁର ସ୍ଥିତ ମିଶାଇଲ ୟୁନିଟରେ ଇଞ୍ଜିନିୟର ଭାବେ କାର୍ଯ୍ୟ ତୁଲାଉଥିଲେ । ତାଙ୍କ ବିରୋଧରେ ଦୁଇ ପାକିସ୍ତାନୀ ମହିଳାଙ୍କ ସହ ସମ୍ପର୍କ ରଖି ବ୍ରହ୍ମୋସ କ୍ଷେପଣାସ୍ତ୍ରର ଗୁପ୍ତ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ନିଶାନ୍ତ ଙ୍କ ବିରୋଧରେ ବିରୋଧରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।